ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେଡି ର ପ୍ରେସ ମିଟ
ଭୁବନେଶ୍ୱର : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଜନ ସାଧାରଣଙ୍କ ଠାରୁ ରାଜନେତାଙ୍କ ମଧ୍ୟରେ ବୃଦ୍ଧି ପାଉଛି ଅସନ୍ତୋଷ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପରେ ଗତକାଲି ବିଜେପି ନେତାମାନେ ଦରମା ବୃଦ୍ଧି ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ବେଳେ ଆଜି ପୁଣି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି । ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ ଦେବ ସୂଚନା ଦେଇଛନ୍ତି । ଆମେ ସେ ସମୟରେ ସମର୍ଥନ କରିଥିଲୁ, ବିଲ୍ ପାରିତ ହୋଇଥିଲା । ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଦରମା ବୃଦ୍ଧିର ପୁନର୍ବିଚାର କରନ୍ତୁ ବୋଲି ବିଜେଡି କହିଛି । ପୂର୍ବରୁ ବର୍ଦ୍ଧିତ ଦରମା ନେବାକୁ ମନା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଶ୍ରୀମତୀ ମଲ୍ଲିକ କହିଥିଲେ, ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇ ଏହା ଡିସେମ୍ୱର ୯ ତାରିଖରେ ସର୍ବସମ୍ମତି କ୍ରମେ ପାସ ହୋଇଥିଲା । ଏହି ବର୍ଦ୍ଧିତ ଦରମା ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ଓ ଏହାକୁ ଗରିବ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଜଣାଇ ଥିଲେ । ଏହି ବର୍ଦ୍ଧିତ ଦରମାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାକୁ ସମ୍ମାନ ଜଣାଇ, ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡି ତରଫରୁ ଏହାକୁ ପୁନଃର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ ।
ପ୍ରତାପ ଦେବ କହିଥିଲେ, ଜନସାଧାରଣଙ୍କ ମଧ୍ୟରେ ଦେଖା ଯାଇଥିବା ପ୍ରତିକ୍ରିୟାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହାର ପୁନଃର୍ବିଚାର କରିବେ ଓ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଆମେ ଆଶା କରୁଛୁ ।




