ବିଜେଡି ମିଡିଆ ସେଲ୍ ପୁନର୍ଗଠିତ
ଭୁବନେଶ୍ୱର : ବିଜେଡି ମିଡିଆ ସେଲ୍କୁ ବ୍ୟାପକ ଭାବେ ପୁନର୍ଗଠିତ କରାଯାଇଛି । ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହାକୁ ପୁନର୍ଗଠନ କରାଯାଇଛି । ଏହି ନୂତନ ସାଙ୍ଗଠନିକ ପରିବର୍ତ୍ତନରେ ଦଳର ପୁରୁଖା ଓ ବରିଷ୍ଠ ନେତାମାନଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହିତ ଦଳ ପକ୍ଷରୁ ୧୦ ଜଣ ନୂଆ ଜାତୀୟ ମୁଖପାତ୍ରଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି ।
ଦଳର ବୈଦ୍ୟୁତିକ ଗଣମାଧ୍ୟମ ମୁଖ୍ୟ ସଂଯୋଜକ ଭାବେ ବିଧାୟକ ଡ଼. ଅରୁଣ ସାହୁଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ବରିଷ୍ଠ ସଂଯୋଜକ ଭାବେ ଦେବେଶ ଆଚାର୍ଯ୍ୟ ଏବଂ ଲେନିନ ମହାନ୍ତି ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ । ସେହିପରି ମୁଦ୍ରିତ ଗଣମାଧ୍ୟମ ପାଇଁ ସଂଜୟ ଦାସବର୍ମାଙ୍କୁ ମୁଖ୍ୟ ସଂଯୋଜକ ଦାୟିତ୍ବ ଦିଆଯାଇଛି । ବିଧାୟକ ଗୌତମବୁଦ୍ଧ ଦାସଙ୍କୁ ବରିଷ୍ଠ ସଂଯୋଜକ ଏବଂ ପ୍ରିୟବ୍ରତ ମାଝୀଙ୍କୁ ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜେଡିର ସୋସିଆଲ ମିଡିଆ ଓ IT ସେଲ୍ ମୁଖ୍ୟ ସଂଯୋଜକ ଦାୟିତ୍ବରେ ରହିବେ ପ୍ରତାପ ଜେନା । ବରିଷ୍ଠ ସଂଯୋଜକ ଦାୟିତ୍ବରେ ରହିବେ ପ୍ରଣବ ବଳବନ୍ତରାୟ । ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ସୋସିଆଲ ମିଡିଆ ସଂଯୋଜକ ଓ ଅମରେଶ ପତ୍ରୀଙ୍କୁ IT ସଂଯୋଜକ ଦାୟିତ୍ବ ଦିଆଯାଇଛି ।




