ଗୁରୁଜାଙ୍ଗ ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମ ଶତବାର୍ଷିକୀ ପାଳନ

ଗୁରୁଜାଙ୍ଗ ଗ୍ରାମକୁ ‘ଐତିହ୍ୟ ଗ୍ରାମ’ ଓ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ମାନ୍ୟତା

ଗୁରୁଜାଙ୍ଗ ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମ ଶତବାର୍ଷିକୀ ପାଳନ
Samaya Live News Picture
Published On

ତାଳଚେର :  ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଦିବସ। ଏଥିପାଇଁ ସ୍ୱାମୀଜୀଙ୍କ ଜନ୍ମସ୍ଥାନ ଅନୁଗୁଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗ ଗାଁରେ ଜନ୍ମ ଶତବାର୍ଷିକୀ ମହୋତ୍ସବ ପାଳନ ହେଉଛି। ଆୟୋଜିତ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ସ୍ୱାମୀଜୀଙ୍କ ସ୍ମୃତିପୂତ ପବିତ୍ର ଗୁରୁଜାଙ୍ଗ ଗ୍ରାମକୁ ‘ଐତିହ୍ୟ ଗ୍ରାମ’ ଭାବେ ଗଢି ତୋଳାଯିବା ସହ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କେବଳ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକ ମହାନ ଆଦର୍ଶ, ଅଲୌକିକ ଅନୁଷ୍ଠାନ ଓ ସନାତନ ଧର୍ମର ଦୀପ୍ତିମନ୍ତ ମାର୍ଗଦର୍ଶକ । 

ଆଜିର ଆଧୁନିକ ଯୁଗରେ ସୁଖ-ସୁବିଧା ତ୍ୟାଗ କରି ସେ କନ୍ଧମାଳର ଦୁର୍ଗମ ଓ ଘଞ୍ଚ ଜଙ୍ଗଲରେ ରହି ଅସହାୟ ବନବାସୀଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେଠାରେ ଚକାପାଦ ଓ ଜଲେଶପଟ୍ଟା ଆଶ୍ରମ ଏବଂ କନ୍ୟା ଗୁରୁକୁଳ ପ୍ରତିଷ୍ଠା କରି ବନବାସୀ ଝିଅମାନଙ୍କୁ ସଂସ୍କୃତ ଶିକ୍ଷା ଓ ସଂସ୍କାରରେ ସ୍ୱାବଲମ୍ବୀ କରି ଗଢ଼ିତୋଳିଥିଲେ। ତାଙ୍କ ଦ୍ୱାରା ବୁଣାଯାଇଥିବା ସଂସ୍କୃତିର ମଞ୍ଜି ଆଜି ମହାଦ୍ରୁମରେ ପରିଣତ ହୋଇଛି ଏବଂ ଧର୍ମାନ୍ତରୀକରଣ ବିରୋଧରେ ସେ ଆରମ୍ଭ କରିଥିବା ସଚେତନତା ସମଗ୍ର ରାଜ୍ୟରେ ଏକ ଜାଗ୍ରତ ସନାତନୀ ସଙ୍କଳ୍ପ ଭାବେ ଛିଡ଼ା ହୋଇଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହେଉଛନ୍ତି ଆମ ସମାଜର 'ଗୁରୁ, ଗ୍ରନ୍ଥ ଏବଂ ଗରିମା' ବୋଲି ସେ କହିଥିଲେ।

 ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥ ଓ ବରେଣ୍ୟ ବ୍ୟକ୍ତିବିଶେଷ ଯୋଗଦଇଛନ୍ତି । ଏହି ଅବସରରେ ଦିନତମାମ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୂଚୀ ନିର୍ଦ୍ଧାରଣ କରାଯାଇଛି । କଳସ ଯାତ୍ରା, ଗୋ-ପୂଜନ ସହ ଯଜ୍ଞ ଆରମ୍ଭ ହୋଇଛି । ନଗର ପରିକ୍ରମା, ଧର୍ମସଭା, ଯଜ୍ଞର ପୂର୍ଣ୍ଣାହୁତି, ଶତବାର୍ଷିକୀ କାର୍ଯ୍ୟକର୍ତ୍ତାଙ୍କ ପ୍ରାନ୍ତ ବୈଠକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ । 

ସୂଚନାନୁସାରେ, ୧୯୨୬ ମସିହା ଅଗଷ୍ଟ ୧୮ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ। ଯୌବନରୁ ହିଁ ସଂସାରର ସୁଖ-ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ସେ ସନ୍ନ୍ୟାସ ମାର୍ଗ ଆପଣାଇଥିଲେ । କନ୍ଧମାଳର ନିରୀହ ଓ ଗରିବ ଆଦିବାସୀଙ୍କ ଦୁର୍ଦ୍ଦଶା ଦେଖି ୧୯୬୯ ମସିହାରେ ସେ କନ୍ଧମାଳକୁ ନିଜର କର୍ମଭୂମି ଭାବେ ବାଛିନେଇଥିଲେ । ଚକାପାଦଠାରେ ଗୁରୁକୁଳ ସଂସ୍କୃତ ଆଶ୍ରମ ଏବଂ ୧୯୮୮ରେ ଜଲେଶପଟ୍ଟାଠାରେ ‘ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ’ ପ୍ରତିଷ୍ଠା କରି ଜନଜାତି ଝିଅମାନଙ୍କୁ ଶିକ୍ଷିତ କରିବାର ସଙ୍କଳ୍ପ ନେଇଥିଲେ। "ଗୋଟିଏ ଝିଅ ଶିକ୍ଷିତ ହେଲେ ତା’ର ସାତ ପିଢ଼ି ଶିକ୍ଷିତ ହେବେ" - ଏହି ଆଦର୍ଶରେ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିବା ସହ ଗୋ-ସଂରକ୍ଷଣ, ନିଶା ନିବାରଣ ଓ ସମାଜ ସୁଧାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । 

୨୦୦୮ ମସିହା ଅଗଷ୍ଟ ୨୩  ତାରିଖରେ ଜନ୍ମାଷ୍ଟମୀ ରାତିରେ, ଜଲେଶପଟ୍ଟା ଆଶ୍ରମରେ ୩୦ରୁ ୪୦ ଜଣ ସଶସ୍ତ୍ର ଆତତାୟୀ ଅତର୍କିତ ଗୁଳିବର୍ଷଣ କରିଥିଲେ। ଏଥିରେ ସ୍ୱାମୀଜୀଙ୍କ ସହ ମାତା ଭକ୍ତିମୟୀ, ବାବା ଅମୃତାନନ୍ଦ, କିଶୋର ବାବା ଓ ପୁରୁଷୋତ୍ତମ ଗନ୍ଠି ଶହୀଦ ହୋଇଥିଲେ।

Tags: