ଆମ ବସ ଧକ୍କାରେ ବାଇକ ଆରୋହୀ ଗୁରୁତର
ଭୁବନେଶ୍ୱର : ବାଇକ ଆରୋହୀଙ୍କୁ ଧକ୍କା ଦେଲା ଆମ ବସ । ଭୁବନେଶ୍ୱର ଜନପଥରେ ପୁଣି ଥରେ ଦୁର୍ଘଟଣା ଘଟାଇଲା ଆମ ବସ । ରାଜ୍ୟ ସରକାରଙ୍କ ପରିବହନ ନିଗମର ୩୩ ନମ୍ବର ରୁଟରେ ଚାଲୁଥିବା 'ଆମ ବସ' ଟି ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ଆଡକୁ ଯିବାବେଳେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏଥିରେ ବାଇକ ଆରୋହୀ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ ରାସ୍ତା ରୋକ କରି ପ୍ରବଳ ଟେକାମାଡ଼ କରିଥିଲେ । ଏଥିରେ ୩ଟି ଆମ ବସ କ୍ଷତିଗ୍ରସ୍ତ ହୋଇଛି । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା । ପ୍ରାଣ ବିକଳରେ ଆମ ବସ୍ ଛାଡି ଡ୍ରାଇଭର ଓ କଣ୍ଟକ୍ଟର ପଳାଇଥିଲେ । ସୂଚନା ପାଇ ଘଟଣା ସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ଆଇନ୍କୁ ହାତକୁ ନନେବା ପାଇଁ ଲୋକଙ୍କୁ ବୁଝାସୁଝା କରିଛନ୍ତି । ତେବେ କେଉଁମାନେ ଏହି ଭଙ୍ଗାରୁଜାରେ ସାମିଲ ଅଛନ୍ତି ଏନେଇ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ ଅଭିଯୋଗରେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି ।
ସେପଟେ,ଆଜି ପୁରୀ ନାଵ କଳେବର ରୋଡ଼ରେ ବସ ଧକ୍କାରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳାଙ୍କ ଉପରେ ବସ୍ ଟି ଚଢ଼ିଯିବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ତୁରନ୍ତ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରତିବାଦରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି । ଶ୍ରୀମନ୍ଦିରଠାରୁ ମାଳତୀପାଟପୁର ବସଷ୍ଟାଣ୍ଡକୁ ଯାଉଥିବା ବେଳେ ମହିଳାଙ୍କୁ ବସଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୁଲିସ ପହଞ୍ଚି ବୁଝାସୁଝା କରିଛି ।



