ବ୍ରିକ୍ସ ମିଡ଼ିଆ କିଟ ରେ କୋରାପୁଟ କଫି ସହିତ ବିହାର ଛତୁଆ
ନୂଆଦିଲ୍ଲୀ : ଆଜିଠାରୁ ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଅନୁଷ୍ଠିତ ହେଉଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ । ଦିଲ୍ଲୀରେ ଏକାଠି ହେବେ ବିଶ୍ବର ହେଭିୱେଟ । ଦିଲ୍ଲୀ ଉପରେ ରହିଛି ସାରା ବିଶ୍ୱର ନଜର । ଏଥିରେ ଯୋଗଦେବା ପାଇଁ ଆସୁଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆଲୋଚନା ପୂର୍ବରୁ ଭାରତ ପାଇଁ ବେଜିଂ ଦେଇଛି ‘ସୁପଡ଼ୋଶୀ ଓ ବନ୍ଧୁତ୍ୱ’ର ବାର୍ତ୍ତା ।
ଏହି ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ, ଆଞ୍ଚଳିକ ଓ ପାରମ୍ପରିକ ଐତିହ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଆଗତ ଦେଶୀ ଓ ବିଦେଶୀ ସାମ୍ବାଦିକଙ୍କୁ ଏକ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ପ୍ରଦାନ କରାଯାଇଛି । ଏହି ଗୁଡି ବ୍ୟାଗ୍ରେ ଓଡ଼ିଶାର କୋରାପୁଟ କଫି ସହିତ ୯ଟି ବିଶେଷ ସାମଗ୍ରୀ ରହିଛି। ଓଡ଼ିଶାର କୋରାପୁଟ ଜିଲାର ପାହାଡ଼ିଆ ଅଞ୍ଚଳରୁ ସଂଗୃହୀତ ପ୍ରସିଦ୍ଧ ଅର୍ଗାନିକ୍ କଫି କିଟ୍ରେ ରଖାଯାଇଛି । ଏହା ସହିତ ବିହାରର ପାରମ୍ପରିକ ଛତୁଆ , ସ୍ୱାସ୍ଥ୍ୟକର ପ୍ରୋଟିନ୍ଯୁକ୍ତ ସୁପରଫୁଡ୍ ମଖାନା ,ଗୁଜରାଟର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାର ଶିଳ୍ପର ଏକ ସୁନ୍ଦର କଳାକୃତି ଯୁକ୍ତ ଷ୍ଟୋଲ୍, ହିମାଚଳ ପ୍ରଦେଶର ସେଓ ଚା’ (ଆପଲ ଟି), କାଶ୍ମୀରର କେଶର, ଦକ୍ଷିଣ ଭାରତର ମିଲେଟ୍ ସ୍ନାକ୍ସ, ଗୋଆର କାଜୁ ଓ ପରିବେଶ ଅନୁକୂଳ ପୁନରୁଦ୍ଧାରିତ କାଗଜରୁ ତିଆରି ନୋଟବୁକ୍ ଏବଂ କଲମ ରହିଛି । ଏହି ସମ୍ମିଳନୀକୁ ଦେଶ ଓ ବିଦେଶରୁ ପ୍ରାୟ ୧୩୦୦ ସାମ୍ବାଦିକ ଆସିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ସାମ୍ବାଦିକଙ୍କ ପାଇଁ ଏହି ସ୍ବତନ୍ତ୍ର ଉପହାର ବ୍ୟବସ୍ଥା କରିଛି ।




