ଓଡ଼ିଶାରେ ସ୍ୱଚ୍ଛ ଗତିଶୀଳତା ଦିଗରେ ବଡ଼ ପଦକ୍ଷେପ

ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଗତି ସମୀକ୍ଷା କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ

ଓଡ଼ିଶାରେ ସ୍ୱଚ୍ଛ ଗତିଶୀଳତା ଦିଗରେ ବଡ଼ ପଦକ୍ଷେପ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ଓଡ଼ିଶାର ସ୍ୱଚ୍ଛ ଶକ୍ତି ସଂକ୍ରାନ୍ତୀୟ ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗ୍ରୀନ୍ ହାଇଡ୍ରୋଜେନ୍ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା  ।

କ୍ରୁଟ୍ , ଏନଟିପିସି  ଏବଂ ଗ୍ରୀଡକୋର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା 'ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ' ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଚଳନ କରିବା ଏବଂ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା। ଏହି ଅଭିନବ ପ୍ରୟାସ ଭାରତ ସରକାରଙ୍କ 'ନେଟ୍ ଜିରୋ' କାର୍ବନ ନିର୍ଗମନ ଲକ୍ଷ୍ୟ  ଏବଂ ସ୍ୱଦେଶୀ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବାରେ ବିଶେଷ ସହାୟକ ହେବ।

 NTPC, GRIDCO ଏବଂ CRUT ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ବୁଝାମଣା ପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏହି ପ୍ରସ୍ତାବିତ ପ୍ରକଳ୍ପ ଅଧୀନରେ ଭୁବନେଶ୍ୱରର ପୋଖରୀପୁଟସ୍ଥିତ 'କ୍ରୁଟ୍' ଡିପୋରେ ଏକ 'ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫ୍ୟୁଲିଂ କେନ୍ଦ୍ର' ପ୍ରତିଷ୍ଠା କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବେ ତିନୋଟି ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍  ପ୍ରଚଳନ କରାଯିବାର ଯୋଜନା ରହିଛି।
ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ ୨୬୦ କିଲୋଗ୍ରାମ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରିବା ସହ ଆଦର୍ଶ ସ୍ଥିତିରେ ଏହି ବସ୍‌ଗୁଡ଼ିକୁ ଦୈନିକ ୬୦୦ କିଲୋମିଟର ପର୍ଯ୍ୟନ୍ତ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସ୍ୱଚ୍ଛ ଓ ଦକ୍ଷ ସାଧାରଣ ପରିବହନର ବିକଳ୍ପ ଯୋଗାଇବା ସହ ଶୂନ୍ୟ ନିର୍ଗମନ  ସୁନିଶ୍ଚିତ କରିବ। ଫଳରେ ବାର୍ଷିକ ପ୍ରାୟ ୯୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ, ଯାହା ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ସଫଳତା ହେବ।

ଏହି ପ୍ରକଳ୍ପ ପାଇଁ ମୋଟ ପୁଞ୍ଜି ବିନିଯୋଗ ୫୩.୫୫ କୋଟି ଟଙ୍କା ଆକଳନ କରାଯାଇଛି, ଯେଉଁଥିରୁ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ  ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ ୧୯.୫୨ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । 

 

Tags: