ପାଠ୍ୟ ପୁସ୍ତକରେ ତ୍ରୁଟି ପଛରେ ବଡ଼ ଷଡଯନ୍ତ୍ର - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ସାରା ରାଜ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଶିକ୍ଷକଙ୍କ ଠାରୁ ଅବିଭାବକ ଏବଂ ଛାତ୍ର ଛାତ୍ରୀମାନେ କିଭଳି ଭାବରେ ସଠିକ ପଢିବେ ଏହାକୁ ନେଇ ଦ୍ବନ୍ଦରେ ଅଛନ୍ତି । ତେବେ ଗୁରୁତର ତ୍ରୁଟି ପଛରେ ଏକ ବଡ଼ ଷଡଯନ୍ତ୍ର ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ସରକାର ଏ ତ୍ରୁଟିଗୁଡିକୁ ଗମ୍ଭୀରତାର ସହ ନେଇଛନ୍ତି । "ପୂର୍ବରୁ ତ୍ରୁଟି ଘଟିଥିଲା, କିନ୍ତୁ ଏଥର ପରିମାଣ ଯଥେଷ୍ଟ ଅଧିକ । ଟାଇମ୍ସ ଅଫ ଇଣ୍ଡିଆର କନକ୍ଳେଭରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ କହିଛନ୍ତି ,ମୋ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି ସନ୍ଦେହ କରୁଛି । ଦୋଷୀଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବାର ଚେତବାନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ପାଣ୍ଡୁଲିପି ପ୍ରସ୍ତୁତି, ଯାଞ୍ଚ ଓ ମୁଦ୍ରଣ ଯାଏଁ ସମସ୍ତ ପ୍ରକ୍ରିୟା ଯାଞ୍ଚ ହେବ । ଏହି ଷଡ଼ଯନ୍ତ୍ରରେ ଯେଉଁମାନେ ଲିପ୍ତ ଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମିତି କି ଦୋଷୀଙ୍କ ଠାରୁ ତ୍ରୁଟି ବହିର ମୂଲ୍ୟ ଆଦାୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରାଯିବ । ନୂଆ ବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ । ସମସ୍ତ, ନୂତନ କପି ମୁଦ୍ରଣ ଏବଂ ପୁନଃବଣ୍ଟନ କରାଯିବ। ଯେଉଁମାନେ ଷଡଯନ୍ତ୍ରରେ ସାମିଲ ଥିଲେ ତଣ୍ଡ ଗଣିବେ । ସେମାନଙ୍କ ପାଖରୁ ତ୍ରୁଟି ବହିର ମୂଲ୍ୟ ଆଦାୟ କରାଯିବ । ତଦନ୍ତ ରିପୋର୍ଟ ଅଯାୟୀ ଆକ୍ସନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାନୁସାରେ, ୧୬ ତାରିଖ ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ଭୁଲ୍ ବାହାରିଥିଲା। ଏହାର ପରଦିନ ଅର୍ଥାତ୍ ୧୭ ତାରିଖରେ ଖୋଦ୍ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲୋକସେବା ଭବନରେ ବୈଠକ କରି ତ୍ରୁଟି ବହିକୁ ନେଇ ବିରକ୍ତ ହେଲେ । ଏଥିସହ ତଦନ୍ତ କମିଟି କରି ୭ଦିନରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ।
ଏହାର ଦିନକ ପରେ ଅର୍ଥାତ୍ ୧୮ ତାରିଖରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୩ଜଣିଆ କମିଟି ଗଠନ ହେଲା । ନିର୍ଦ୍ଦେଶ ଥିଲା ୭ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ଗୁରୁବାର ରାତିରେ କମିଟି ତଦନ୍ତ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛି ।




