୬ ଲେନ ବିଶିଷ୍ଟ ହାଇ ସ୍ପିଡ଼ କରିଡର ହେବ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ
ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ହେବ । ୩୧୬ ନମ୍ବର ଜାତୀୟ ରାଜପଥ ହେବ ୬ ଲେନ ବିଶିଷ୍ଟ ହାଇ ସ୍ପିଡ଼ କରିଡର । ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ । ସ୍ୱତନ୍ତ୍ର ୟୁଟିଲିଟି କରିଡର ଉପରେ ଗୁରୁତ୍ୱ ଦିଆଯାଉଛି । ରାସ୍ତା ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଦିନ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧକ୍ଷତାରେ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ନକସା ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଥିଲା I
ବୈଠକରେ ୬୭ କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ ୪ ଲେନ ରୁ ୬ ଲେନ କରିବା ସହ ଉଭୟ ପଟରେ ଦୁଇ ଲେନ ବିଶିଷ୍ଠ ସ୍ୱତନ୍ତ୍ର ସର୍ଭିସ ଲେନ ନିର୍ମାଣ ଉପରେ ଆଲୋଚନା ହୋଇଥିଲା I ଏଥିସହିତ ସପ୍ତସତି ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତାକୁ ୬ ଲେନ ଇଲେଭେଟେଡ଼ କରିଡର ସହ ଉଭୟ ପାର୍ଶ୍ୱରେ ୩ ଲେନ ବିଶିଷ୍ଟ ସର୍ଭିସ ରୋଡ଼ ନିର୍ମାଣ ନେଇ ଆଲୋଚନା ହୋଇଥିଲା I ଏହା ଭୁବନେଶ୍ୱର ସହରର ଭିଡ ପରିଚାଳନା ସହ ଉଭୟ ସହର ମଧ୍ୟରେ ଯାତାୟାତ ସମୟକୁ ହ୍ରାସ କରିବ I ପ୍ରସ୍ତାବିତ ରାସ୍ତାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ଥାନେ ସ୍ଥାନେ ୱେ ସାଇଡ ଆମିନିଟି ସୁବିଧା ରହିବ I
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ତତ୍ୱାବଧାନରେ ପୁରୀ ଓ ଭୁବନେଶ୍ୱରର ରାସ୍ତାର ବିକାଶ ନେଇ ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ସମନ୍ୱୟ ଉପରେ ସଚିବ ଶ୍ରୀ ସିଂହଗୁରୁତ୍ୱାରୋପ କରିଥିଲେ ।
ପୁରୀ ଏବଂ ଭୁବନେଶ୍ୱର ଅଞ୍ଚଳ ବାତ୍ୟା ପ୍ରବଣ ହାଇଥିବାରୁ ବିଦ୍ୟୁତ, ଟେଲିଫୋନ, ଇଣ୍ଟରନେଟ,ପାଣି ଓ ଗ୍ୟାସ ସେବା ପାଇଁ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।



