ରିମାଣ୍ଡ ଅବଧି ପରେ ଜେଲ ଗଲେ ଭୀମସେନ
ଭୁବନେଶ୍ୱର : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା । ପ୍ରେମିକ ଭୀମସେନ ଟୁଡୁଙ୍କ ୨ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଏହାପରେ ତାଙ୍କୁ କୋର୍ଟରେ ହଜାର କରି ପୁଣି ଥରେ ଜେଲ ପଠାଇ ଦେଇଛି ବାରଙ୍ଗ ପୋଲିସ । ପୁଲିସ ୩ ଦିନିଆ ରିମାଣ୍ଡ୍ ପାଇଁ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ଦୁଇ ଦିନ ଅର୍ଥାତ ୪୮ ଘଣ୍ଟା ରିମାଣ୍ଡ୍ ଦେଇଥିଲେ ।
ଭୀମସେନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା-୬୯ ଲାଗୁ କରିଛି ପୁଲିସ । ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଭୀମସେନଙ୍କ ବିରୋଧରେ ଏହି ଧାରା ଲାଗିଛି । ଜେରାବେଳେ ତଦନ୍ତକାରୀ ଅଧିକାରୀ ଉଭୟଙ୍କ ସ୍କୁଲ ପାଠ ପଢ଼ିବାଠୁ ଆରମ୍ଭ କରି ଚନ୍ଦ୍ରିକାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏକାଧିକ ପ୍ରଶ୍ନ ପଚାରିଥିଲା । ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା । ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ପ୍ରମାଣ ମିଳିଥିବା କୁହାଯାଉଛି । ଏହାକୁ ଆଧାର କରି ପୁଲିସ ମାମଲାରେ ଅଧିକ ଗୁରୁତର ଧାରା ଯୋଡ଼ିଛି ।
ସେପଟେ ରିମାଣ୍ଡରେ ନେଇ ଅଭିଯୁକ୍ତଙ୍କୁ ଜେରା କରାଯାଉଥିବାବେଳେ ଚନ୍ଦ୍ରିକାଙ୍କ ମୃତ୍ୟୁ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିବା ସୂଚନା ମିଳିଛି । ତେବେ ତଦନ୍ତର ସ୍ୱାର୍ଥ ଦୃଷ୍ଟିରୁ ପୁଲିସ ଏ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିନାହିଁ । ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି ।




