ଭତ୍ତା ଟଙ୍କା ପାଇଁ ରାସ୍ତାକୁ ଓହ୍ଲାଇଲେ ହିତାଧିକାରୀ

ଭତ୍ତା ଟଙ୍କା ପାଇଁ ରାସ୍ତାକୁ ଓହ୍ଲାଇଲେ ହିତାଧିକାରୀ
Samaya Live News Picture
Published On

ଉଦଳା : ଭତ୍ତା ପାଇଁ ରାସ୍ତାରେ ହିତାଧିକାରୀ । ଆବେଦନ କରିଥିଲେ ସୁଦ୍ଧା ଦୀର୍ଘ ମାସ ଧରି ବର୍ଦ୍ଧିତ ଭତ୍ତା ଟଙ୍କା ନମିଳିବାରୁ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି ୯ ଟି ପଞ୍ଚାୟତର ହିତାଧିକାରୀ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଅଞ୍ଚଳରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଶରତ ଛକରେ ହିତାଧିକାରୀ ରାସ୍ତା ଅବରୋଧ କରିଛନ୍ତି । କପ୍ତିପଦା ବ୍ଲକର ଶରତ ସମେତ ୯ଟି ପଞ୍ଚାୟତର ହିତାଧିକାରୀ ମାନଙ୍କ ଭତ୍ତା ଅନିୟମିତତା ହୋଇଛି । 

ସରକାରୀ ସ୍ତରରେ ଘୋଷଣା ହୋଇଥିବା ଭତ୍ତା ଟଙ୍କା ହିତାଧିକାରୀ ପାଇ ପାରୁନଥିବା ବେଳେ ସରପଞ୍ଚ ସେହି ଟଙ୍କା ରଖି ହଜାରେ ଟଙ୍କା ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି ପ୍ରତିବାଦକାରୀ । ହିତାଧିକାରୀଙ୍କ ସହିତ ସରପଞ୍ଚ ମାନେ ମଧ୍ୟ ଏହି ରାସ୍ତା ରୋକରେ ସାମିଲ ହୋଇଛନ୍ତି । ବୃଦ୍ଧ ବୃଦ୍ଧାଙ୍କୁ ବର୍ଦ୍ଧିତ ଟଙ୍କା ନ ମିଳିବା, ଦୀର୍ଘ ମାସ ହେବ ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତ୍ତା ନ ମିଳିବା ମୁଖ୍ୟ ଦାବି ରଖିଛନ୍ତି ହିତାଧିକାରୀ । ଶରତ ଛକରେ ହିତାଧିକାରୀ ରାସ୍ତା ରୋକ କରିଥିବା ବେଳେ କପ୍ତିପଦା – କେନ୍ଦୁଝର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ସମାଧାନ ନହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

 

Tags: