ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା' ହିତାଧିକାରୀଙ୍କୁ ମିଳିବ ୧୦ କେଜି ଚାଉଳ
ଭୁବନେଶ୍ବର: ଓଡିଶାରେ ବିଜେପି ସରକାରକୁ ଆଜି ଦୁଇ ବର୍ଷ ପୂରିଛି । ଏହି ଅବସରରେ ଆରମ୍ଭ ହୋଇଛି ଏକ ନୂତନ ଯୋଜନା 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା' । ଚଳିତ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରୁଥିବା ବେଳେ ଗତ ଏପ୍ରିଲ ୫ରେ ଅନୁଷ୍ଠିତ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଥିଲା । 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା'ରେ ପ୍ରତି ରାସନ କାର୍ଡ ଧାରୀଙ୍କୁ ମିଳିବ ଆଉ ୫ କେଜି ଚାଉଳ । ପୂର୍ବରୁ ପାଞ୍ଚ କେଜି ଚାଉଳ ମିଳୁଥିବା ବେଳେ, ଏବେ ପ୍ରତି ହିତାଧିକାରୀଙ୍କୁ ଦଶ କେଜି ଲେଖାଏଁ ଚାଉଳ ମିଳିବ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର ହୋଇଛି । ୧ କୋଟି ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ସଦସ୍ୟ ଏହା ଦ୍ୱାରା ଉପକୃତ ହେବେ । ଯୋଜନା ବାବଦରେ ବାର୍ଷିକ ୮,୮୧୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ବାବଦରେ ମାସିକ ଖର୍ଚ୍ଚ ହାରାହାରି ୭୩୪ କୋଟି ଟଙ୍କା ହେବ । ଏହା ଦ୍ୱାରା ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ସୁଦୃଢ଼ ହୋଇପାରିବ ।
ରାଜ୍ୟର ଖାଉଟିଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଏହି ନୂତନ ଯୋଜନା ଆରମ୍ଭ ହୋଇଛି । ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ବା NFSA ଓ ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ ବା SFSS ଅଧିନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରାଯିବ । 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଖର୍ଚ୍ଚ ହେବାକୁ ଅର୍ଥକୁ ଗତ ଏପ୍ରିଲ ମାସରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ମୋହର ମାରିଥିଲା ।



