ବାତ୍ୟା ଆସୁ କି ବନ୍ୟା ସରକାର ୩୬୫ ଦିନ ପାଇଁ ପ୍ରସ୍ତୁତ ଅଛନ୍ତି - ରାଜସ୍ବ ମନ୍ତ୍ରୀ

ବାତ୍ୟା ଆସୁ କି ବନ୍ୟା ସରକାର ୩୬୫ ଦିନ ପାଇଁ ପ୍ରସ୍ତୁତ ଅଛନ୍ତି - ରାଜସ୍ବ ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିଛି। ବାତ୍ୟାକୁ ନେଇ କିଛି ଘରୋଇ ସଂସ୍ଥା ପକ୍ଷରୁ କରାଯାଉଥିବା ପୂର୍ବାନୁମାନ ଉପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବାତ୍ୟା ଆସୁ କି ବନ୍ୟା ସରକାର ୩୬୫ ଦିନ ପାଇଁ ପ୍ରସ୍ତୁତ ଅଛନ୍ତି। ଘରୋଇ ସଂସ୍ଥାମାନେ ନିଜ ନିଜ ଆକଳନ କରୁଛନ୍ତି। ସେମାନେ ତାଙ୍କ ଅଙ୍କ କଷନ୍ତୁ କିନ୍ତୁ ସରକାର ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି।ବିପର୍ଯ୍ୟୟର ସଠିକ୍ ଆକଳନ ଓ ଆଗୁଆ ସୂଚନା ପାଇଁ ରାଜ୍ୟରେ ଅତ୍ୟାଧୁନିକ ଡପଲର୍ ରାଡାର୍ ବ୍ୟବସ୍ଥାକୁ ଆହୁରି ମଜଭୁତ କରାଯାଉଛି । ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ଏବଂ ଆସିବ ତାକୁ ଆମେ ପ୍ରତିହତ କରିପାରିବା ବୋଲି ସେ କହିଛନ୍ତି ।

ଗତକାଲି ସମ୍ବଲପୁରରେ ଡପଲର୍ ରାଡାର୍ ସ୍ଥାପନ କରାଯାଇଥିବା ବେଳେ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର, ବାଲେଶ୍ୱର ଓ ଗୋପାଳପୁରରେ ମଧ୍ୟ ଅତ୍ୟାଧୁନିକ ଡପଲର୍ ରାଡାର୍ ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଗତିପଥ ଓ ପ୍ରଭାବକୁ ଅଧିକ ସଠିକ୍ ଭାବେ ଆକଳନ କରିହେବ ବୋଲି କୁହାଯାଇଛି ।

ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଭଳି ଅଞ୍ଚଳରୁ ମଧ୍ୟ ତଥ୍ୟ ସଂଗ୍ରହ କରି ଆଗୁଆ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଯାଏଁ ବାତ୍ୟା ନେଇ ସେଭଳି କୌଣସି ନିଶ୍ଚିତ ଆକଳନ ହୋଇନଥିବା କହିବା ସହ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିବ ବୋଲି ସୁରେଶ ପୂଜାରୀ କହିଛନ୍ତି । 

 

 

Tags: