ଏସଆଇଆର କାର୍ଯ୍ୟରେ ଅବହେଳା ଯୋଗୁଁ ବିଡ଼ିଓ ନିଲମ୍ବିତ
ମୟୁରଭଞ୍ଜ : ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା ଦାସଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ । ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଚରମ ଅବହେଳା ପାଇଁ ବିଡ଼ିଓ ସ୍ମୃତିମୟୀ ବନଜା ଦାସଙ୍କୁ ନିଲମ୍ବନ କରାଯାଇଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଶ୍ରୀ ଆର୍. ଏସ୍. ଗୋପାଳନ, ଚିଠି ଲେଖି ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ତଥା ବଡସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଦୁଃଖବନ୍ଧୁ ନାୟକଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନାନୁସାରେ,'ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ' (ଏସଆଇଆର-୨୦୨୬) କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଗତ ମେ' ୨୩ ତାରିଖରେ ଆୟୋଜିତ ଭର୍ଚ୍ଚୁଆଲ୍ ଟ୍ରେନିଂରେ ଶ୍ରୀମତୀ ଦାସ ଅନୁପସ୍ଥିତ ଥିଲେ। ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ, ଯାହା ତାଙ୍କର ସରକାରୀ ନିୟମ ପ୍ରତି ଉଦାସୀନତାକୁ ଦର୍ଶାଉଛି । ଏହାଛଡ଼ା ମେ’ ୨୬ ଓ ୨୭ ତାରିଖରେ ବିଏଲଓ ଏବଂ ବିଏଲଓ ସୁପରଭାଇଜରମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାରେ ସେ ବିଫଳ ହେବା ସହ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ନିଜ ମନମୁଖୀ ଭାବେ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଥିଲେ । କେବଳ ସେତିକି ନୁହେଁ ମେ’ ୨୫ ଓ ୨୬ ତାରିଖରେ ଛୁଟି ଆରମ୍ଭ ଦିନ ହିଁ ସେ କାଜୁଆଲ ଲିଭ (ସିଏଲ) ପାଇଁ ଆବେଦନ କରିଥିଲେ ଏବଂ ମେ’ ୨୮ ତାରିଖରେ ବିନା କୌଣସି ପୂର୍ବ ସୂଚନାରେ କାର୍ଯ୍ୟରୁ ଅନୁପସ୍ଥିତ ରହିଥିଲେ । ଜଣେ ଦାୟିତ୍ୱବାନ ସରକାରୀ ଅଧିକାରୀ ଭାବେ ନିଜ କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନ ନକରିବା ଏବଂ ୧୯୫୯ ର ଉଲ୍ଲଂଘନ କରିଥିବା ଯୋଗୁଁ ତାଙ୍କୁ ଓଡ଼ିଶା ସିଭିଲ ସର୍ଭିସେସ (ସିସିଏଣ୍ଡଏ) ରୁଲ୍ସ, ୧୯୨ ଅନୁଯାୟୀ ତୁରନ୍ତ ନିଲମ୍ବନ କରିବାକୁ ଚିଠିରେ ସ୍ପଷ୍ଟ କରାଯାଇଛି ।



