ରଥଯାତ୍ରା ନୀତିକାନ୍ତି ପାଇଁ ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ

ରଥଯାତ୍ରା ନୀତିକାନ୍ତି ପାଇଁ ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ
Samaya Live News Picture
Published On

ପୁରୀ : ପାଖେଇ ଆସୁଛି ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା । ରଥଖଳାରେ ଚାଲିଛି ଜୋରଦାର ପ୍ରସ୍ତୁତି । ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ୩୮୦ କିଲୋଗ୍ରାମ ପବିତ୍ର ବାସୁଙ୍ଗା ପାଟ ସୁତା ପହଞ୍ଚିଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହି ବାସୁଙ୍ଗା ପାଟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ପହଂଚିଛି । ମହାପ୍ରଭୁଙ୍କର ବିଭିନ୍ନ ପାରମ୍ପରିକ ଏବଂ ଗୁପ୍ତ ନୀତିରେ ଏହି ସୂତା ବ୍ୟବହାର କରାଯିବ।

ବାସୁଙ୍ଗା ପାଟ ହେଉଛି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଗୁରୁତ୍ୱପୂର୍ଣ୍ଣ ରିତିନୀତିରେ ବ୍ୟବହୃତ ଅତ୍ୟନ୍ତ ପବିତ୍ର ଓ ବିଶେଷ ପ୍ରକାରର ରେଶମ ଡୋରୀ । ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ସହ ଜଡିତ ଏକ ପାରମ୍ପରିକ ରେଶମୀ ପଟ୍ଟବସ୍ତ୍ର, ଯାହା ଓଡ଼ିଶାର ରେଶମ ଓ ହସ୍ତତନ୍ତ ଐତିହର ପ୍ରତୀକ । ବାସୁଙ୍ଗା ତିଆରି ପାଇଁ କରୁଣା ସିଲ୍କ ଭଳି ପଦ୍ଧତିର ବ୍ୟବସ୍ଥା କରାଯାଇଛି । କରୁଣା ସିଲ୍କ ହେଉଛି ପାରମ୍ପରିକ ରେଶମର ଏକ ଅହିଂସାମୂଳକ ଓ ସୁସ୍ଥାୟୀ ବିକଳ୍ପ, ଯାହା ରେଶମ କୀଟମାନଙ୍କୁ କୌଣସି କ୍ଷତି ନକରି ପ୍ରସ୍ତୁତ କରାଯାଏ । ଏହି ସୂତାରୁ ଶ୍ରୀଜିଉଙ୍କ ପାଇଁ 'ବିଜୟ ଡୋରି', 'ପଇତା', 'ରକ୍ଷୀ' ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପବିତ୍ର ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ।ଭୁବନେଶ୍ୱରସ୍ଥିତ ସହିଦ ନଗରରେ ଥିବା ଓଡ଼ିଶା ରାଜ୍ୟ ସମବାୟ ଟସର ଏବଂ ରେଶମ ଫେଡେରେସନ୍ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ଏହି ବାସୁଙ୍ଗା ପାଟ ସୂତାକୁ ପୁରୀକୁ ପଠାଯାଇଛି । 

ଏହି ପ୍ରକ୍ରିୟାରେ ସମସ୍ତ ରେଶମ କୀଟମାନଙ୍କୁ ସମ୍ପୂର୍ଣ୍ଣ ପ୍ରଜାପତି ହେବା ପର୍ଯ୍ୟନ୍ତ ବଞ୍ଚିବାକୁ ଦିଆଯାଏ । ସେମାନେ ନିଜ ସ୍ୱାଭାବିକ ଜୀବନଚକ୍ର ସମ୍ପୂର୍ଣ୍ଣ କରି ପ୍ରାକୃତିକ ଭାବେ ରେଶମ କୋଷରୁ ବାହାରିଆସନ୍ତି । ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ୧୯୮୧ ମସିହାରୁ ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟକୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଉଛି । ବାସୁଙ୍ଗା ପାଟ ସହ ବିଜେ ଡୋରି ମଧ୍ୟ ଆସି ପହଂଚିଛି । ଏହା ମହାପ୍ରଭୁଙ୍କ ଅଣସର ଓ ପହଣ୍ଡି ସମୟରେ ବ୍ୟବହୃତ ହେବ ।

 

 

Tags: