ନେପାଳରେ ସୁରକ୍ଷିତ ଅଛନ୍ତି ବାରିପଦା ର ଝିଅ କୁଳସୁମ ନିଗାର
ଭୁବନେଶ୍ୱର : ନେପାଳ ଜଳ ପ୍ରଳୟ ଭିତରେ ଆସିଛି ଏକ ଆଶ୍ବସ୍ତିକର ଖବର । ସୁରକ୍ଷିତ ଅଛନ୍ତି ଟ୍ରେକିଂ ପାଇଁ ଯାଇଥିବା ଓଡ଼ିଆ ଝିଅ କୁଳସୁମ ନିଗାର (ଟ୍ଵିଙ୍କିଲ)। ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ୨୩ ନମ୍ବର ୱାର୍ଡରେ । ସେ ସୁରକ୍ଷିତ ଥିବା ନେଇ ଗତ କାଲି ସନ୍ଧ୍ୟାରେ ତାଙ୍କ ଭଉଣୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ବୋଲି ସୂଚନା ମିଳିଛି । ତାଙ୍କର ନିଖୋଜ ଖବର ଆସିବା ପରେ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଏପରିକି ଶୀଘ୍ର ଖୋଜି ଆଣିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଥିଲେ ପରିବାର ଲୋକେ ।
ସୂଚନାନୁସାରେ, ଅଗଷ୍ଟ ମାସ ୨୧ ତାରିଖ ଦିନ ବାରିପଦା ବସ୍ ଷ୍ଟାଣ୍ଡରୁ ବସ୍ ଯୋଗେ କଲକାତା ଯାଇଥିଲେ କୁଲସୁମ । ସେଠାରେ ଭୁବନେଶ୍ୱରରୁ ଯାଇଥିବା ତାଙ୍କ ସାଙ୍ଗ ଦୀପିକା ଏକ୍କାଙ୍କ ସହ ମିଥିଳା ଏକ୍ସପ୍ରେସ୍ ଯୋଗେ ବିହାରର ରକ୍ସୋଲରେ ଉଭୟ ପହଞ୍ଚି ଥିଲେ । ସେଠାରୁ ୧୨ ଜଣିଆ ଟିମ୍ ସହ ଏକ ଟ୍ୟାକ୍ସି ଯୋଗେ ନେପାଳର ପୋଖରା ଅଞ୍ଚଳକୁ ଯାଇଥିଲେ । ତେବେ ଗତ ୨୫ ତାରିଖରେ ଟ୍ରେକିଂ ପାଇଁ ଯାଇଥିଲେ କୁଳସୁମ । ସେଠାରୁ ଫେରିବା ପରେ ଆଉ ତାଙ୍କ ସହ ପରିବାର ଲୋକେ ଯୋଗାଯୋଗ କରିପାରି ନଥିଲେ ବୋଲି ତାଙ୍କ ବାପା ଶେଖ୍ ସଲାମତ ଉଲ୍ଲା କହିଥିଲେ । ଯାହାକୁ ନେଇ ଚିନ୍ତାଗ୍ରସ୍ତ ଥିଲେ ପୁରା ପରିବାର । ନେପାଳ ପ୍ରଶାସନ ସହ ଯୋଗାଯୋଗ କରି କୁଲସୁମଙ୍କୁ ଶୀଘ୍ର ଖୋଜି ବାହାର କରି ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ତାଙ୍କ ଭଉଣୀ ତରନମ୍ ନିଗାର ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ ।




