ବ୍ୟାଙ୍କ କର୍ତୃପକ୍ଷ ଦାୟୀ - ଆରଡିସି
କେନ୍ଦୁଝର : ବ୍ୟାଙ୍କଙ୍କୁ କଙ୍କାଳ ବୋହିବା ଘଟଣାରେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଆରଡିସି । ଉତ୍ତରାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ପ୍ରାଥମିକ ସ୍ତରରୁ ଯାହା ଜଣାପଡୁଛି ଘଟଣାରେ ବ୍ୟାଙ୍କ କର୍ତୃପକ୍ଷ ଦାୟୀ । ଯାହା ଘଟିଲା ତାହା ଅତ୍ୟନ୍ତ ଲଜ୍ଜାଜନକ । ଜିତୁମୁଣ୍ଡା ତାଙ୍କ ଭଉଣୀ କାଲରା ମୁଣ୍ଡାଙ୍କ ସହ ପୂର୍ବରୁ ମଲ୍ଲିପଶି ବ୍ୟାଙ୍କକୁ ୮ଥର ଯାଇ ଟଙ୍କା ଉଠାଇଛନ୍ତି । ପୂର୍ବରୁ ତାଙ୍କୁ ବ୍ୟାଙ୍କ କର୍ତୃପକ୍ଷ ଜାଣିଛନ୍ତି । ତାଙ୍କର ବ୍ୟାଙ୍କ ଜ୍ଞାନ ରହିଛି । ଘଟଣାଦିନ ଜିତୁ ୧୧.୨୬ରେ ବ୍ୟାଙ୍କ ଆସିଛନ୍ତି ଏବଂ ୧୧.୫୮ରେ ବ୍ୟାଙ୍କ ଛାଡିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କୁ ବ୍ୟାଙ୍କରେ ଜଣେ ପରେ ଜଣେ ୪ଜଣଙ୍କ ନିକଟକୁ ପଠାଯାଇଛି । ଶେଷରେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ଉପଯୁକ୍ତ ପ୍ରମାଣ ନଆଣିଲେ ଟଙ୍କା ଦେଇ ହେବନାହିଁ । କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ଦଳେଇଙ୍କ ସହ ଆମେ ସିସିଟିଭି ଫୁଟେଜରୁ ଯାହା ଦେଖିଲୁ ସେଥିରେ ଅଡିଓ ସ୍ପଷ୍ଟ ନଥିଲେ ମଧ୍ୟ ଦୃଶ୍ୟ ସ୍ପଷ୍ଟ ଦେଖାଯାଇଥିଲା । ବଡି ଲାଙ୍ଗୁଏଜରୁ ଯାହା ଜଣା ପଡିଲା ଜିତୁମୁଣ୍ଡା ସବୁଠି ନିରାଶ ହେବାପରେ ଶେଷରେ ବାଧ୍ୟ ହୋଇ ଭଉଣୀର ଶବ ନେଇ ଆସିଥିଲେ । ତେବେ ସବୁ ଜାଣିଲା ପରେ ଶବକୁ ପୋଲିସ ଗାଡ଼ିରେ ନନେବା ମଧ୍ୟ ବଡ଼ ଭୁଲ ବୋଲି ଆରଡିସି କହିଛନ୍ତି । ଘଟଣାରେ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।



