ବାଲିପାଟଣାରେ ଯୁବକଙ୍କୁ ପିଟି ପିଟି ହତ୍ୟା
ଭୁବନେଶ୍ୱର : ଲୋକଙ୍କ ମନରୁ ଦୁରେଇ ଗଲାଣି ଭୟ। ବାଲିଅନ୍ତା ଘଟଣାର ପୁଣି ହୋଇଛି ପୁନରାବୃତ୍ତି । ବାଲିଅନ୍ତା ହତ୍ୟା ଘଟଣାର ମାତ୍ର ଦିନଟିଏ ନ ଯାଉଣୁ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ପୁଣି ଘଟିଛି ଆଉ ଏକ ବିଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ବଚସା ରୁ ସାଙ୍ଗକୁ ଲୁହା ରଡ଼ ରେ ପିଟିପିଟି ହତ୍ୟା କରିଛି ଆଉ ଜଣେ ସାଙ୍ଗ । ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମ ନିକଟ ଅଠାନ୍ତର ଛକରେ ଶୁକ୍ରବାର ଅପରାହ୍ନରେ ହତ୍ୟାକାଣ୍ଡ ଘଟିଛି । ସାମାନ୍ୟ ବଚସାରୁ ଲୁହାରଡ଼ରେ ସାଙ୍ଗଙ୍କୁ ପିଟି ହତ୍ୟା କରିଛି ସାଙ୍ଗ । ମୃତ ଯୁବକ ହେଲେ ରାକେଶ ମହାନ୍ତି । ଘଟଣାରେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ । ଖବର ପାଇବା ପରେ ବାଲିପାଟଣା ଥାନା ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ବେଙ୍ଗବତୀ ଗ୍ରାମର ଅଭିଯୁକ୍ତ ଜାକିର୍ ସାହୁଙ୍କୁ ଗିରଫ କରିଛି । ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି । ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି । ତେବେ ନିଶା କାରବାରକୁ ନେଇ ଏଭଳି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ସୂଚନା ଦେଇଛି ।
ସୂଚନାନୁସାରେ, ବେଙ୍ଗବତୀ ବସ୍ତିରେ ରହି ନିଶା ବେପାର କରୁଥିବା ଜାକିରଙ୍କ ଠାରୁ ରାକେଶ ୨୦ ହଜାର ଟଙ୍କା ଧାର ଆଣିଥିଲେ। ହେଲେ ଅର୍ଥ ଅଭାବରୁ ସେ ଟଙ୍କା ଦେଇ ପାରି ନ ଥିଲେ। ଶୁକ୍ରବାର ଅପରାହ୍ନରେ ରାକେଶଙ୍କୁ ଜାକିର୍ ଅଠାନ୍ତର ଛକକୁ ଆସିବାକୁ କହିଥିଲେ । ସେ ଯିବା ପରେ ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ଜାକିର ସାହୁ ରାକେଶଙ୍କ ବାପା କୈଳାସଙ୍କୁ ଫୋନ କରି ଟଙ୍କା ଧରି ଆସିବାକୁ କହିଥିଲେ । ଟଙ୍କା ନ ଆଣିଲେ ରାକେଶଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଏହି ସମୟରେ କିଛି ନିଶାଗ୍ରସ୍ତ ଯୁବକଙ୍କ ସହ ମିଶି ଜାକିର୍ ରାକେଶ ଙ୍କୁ ଲୁହାରଡ଼ରେ ନିସ୍ତୁକ ମାଡ଼ ମାରିଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ରାକେଶଙ୍କର ସେଠାରେ ମୃତ୍ୟୁ ଘଟିଥିଲା ।



