ପୋଲିସ ଏସଆଇ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ପୋଲିସ ଏସଆଇ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
Samaya Live News Picture
Published On

କଟକ : ପୋଲିସ ଏସଆଇ ପ୍ରଶ୍ନପତ୍ର ଲିକ୍ ଓ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଘଟଣା । ୧୭ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ମାନ୍ୟବର ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ଭଳି କାର୍ଯ୍ୟ କେବଳ ଆଇନ ଭଙ୍ଗ ନୁହେଁ, ବରଂ ଯୋଗ୍ୟ ଓ ମେଧାବୀ ପ୍ରାର୍ଥୀଙ୍କ ଭବିଷ୍ୟତକୁ କ୍ଷତିଗ୍ରସ୍ତ କରି ସମାଜରେ ଖରାପ ପ୍ରଭାବ ପକାଇ ଥାଏ । ଅଭିଯୁକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ଥିବାରୁ ଏହା ଏକ ଗୁରୁତର ସାମାଜିକ ଓ ଆର୍ଥିକ ଅପରାଧ ବୋଲି ହାଇକୋର୍ଟ ମତ ପ୍ରକାଶ କରିଛନ୍ତି ।

ଅଭିଯୁକ୍ତମାନେ ହେଲେ ଟି. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ଲୋକନାଥ ସାହୁ, ଶ୍ରୀକାନ୍ତ ମହାରଣା, ବିଶ୍ୱଜିତ୍‌ ହରିଚନ୍ଦନ, ସାଗର କୁମାର ଗୌଡ଼ା, ତଫିମ୍‌ ଅହମ୍ମଦ ଖାନ୍‌, ସୁରେଶ ନାୟକ, ବିରଞ୍ଚି ନାୟକ, ନିମାଇଁ ସାହୁ, ଅର୍ଜୁନ ନାୟକ, ବିଶ୍ୱରଞ୍ଜନ ବେହେରା, ଇପିଲି ସୀତାରାମ, ଅମିତ୍‌ ଭାରତୀ, ନୀତିଶ କୁମାର, ଅରବିନ୍ଦ ଦାସ । 

ମାମଲାର ତଦନ୍ତ ଏବେ ମଧ୍ୟ ଜାରି ରହିଥିବା ବେଳେ ସିବିଆଇ ସମ୍ପ୍ରତି ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି ।  ତେଣୁ ଅଭିଯୁକ୍ତମାନଙ୍କୁ ଜାମିନ ଦେବା ପାଇଁ ଏହି ପର୍ଯ୍ୟାୟରେ କୌଣସି ଯୁକ୍ତିସଙ୍ଗତ କାରଣ ନଥିବା ହାଇକୋର୍ଟ କହିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଅନ୍ତରୀଣ ଜାମିନରେ ଥିବା ଅଭିଯୁକ୍ତ ମୁନା ମହାନ୍ତିଙ୍କ ଜାମିନ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇନାହିଁ । ଅସ୍ତ୍ରୋପଚାର ପରେ ଦୁଇ ସପ୍ତାହ ବିଶ୍ରାମ ନେଇ ୨୧ ଦିନ ମଧ୍ୟରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ପକ୍ଷରୁ ଏହି ମାମଲା ଆଇନଜୀବୀ ସାର୍ଥକ ନାୟକ ପରିଚାଳନା କରୁଛନ୍ତି ।

Tags: