ଦାଦା ବଟି ପାଇଁ ଜେସିବି ପୋଡିଦେଲେ ଦୁର୍ବୁତ୍ତ
ମାଓବାଦୀଙ୍କ ନାଁ ରେ ଲଗାଇଲେ ପୋଷ୍ଟର
ଭୁବନେଶ୍ୱର : ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ । କଣ୍ଟ୍ରାକ୍ଟରଙ୍କୁ ୫୦ ଲକ୍ଷ ଟଙ୍କା ବଟି ଦେବାକୁ ଧମକ। ବଟି ନମିଳିବାରୁ ରାତି ଅଧରେ ଜାଳିଦେଲେ ଏକ୍ସାଭେଟର ମେସିନ । ଏପରିକି ମାଓବାଦୀ ନାଁରେ ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ଗତ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ-୨ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର ସାମ୍ନାରେ । ଏନେଇ କଣ୍ଟ୍ରାକ୍ଟରଙ୍କ ପକ୍ଷରୁ ଥାନାରେ ଏତଲା ଦେବା ପରେ ତନାଘନା ତଦନ୍ତ କରୁଛି କମିଶନରେଟ ପୋଲିସ । ତିନି ଜଣ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଜେସିବିରେ ପ୍ରକୃତରେ କିଏ ଲଗାଇଲେ ? ଘଟଣା ସହ ମାଓବାଦୀଙ୍କ ସହ ସଂପର୍କ ଅଛି କି ନାହିଁ ସେ ନେଇ ତଦନ୍ତ ଚାଲିଛି । ଘଟଣା ପରେ କଣ୍ଟ୍ରାକ୍ଟରଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏତଲା ଆଧାରରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି।
ଘଟଣାରେ ଲଗାଯାଇଥିବା ପୋଷ୍ଟରର ସତ୍ୟତାକୁ ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ପ୍ରକୃତରେ ଏହି ଘଟଣା ସହ ମାଓବାଦୀଙ୍କ କୌଣସି ସମ୍ପର୍କ ଅଛି କି, ନା ଭୟ ସୃଷ୍ଟି କରିବା ପାଇଁ ଦୁର୍ବୃତ୍ତମାନେ ମାଓବାଦୀଙ୍କ ନାଁ ବ୍ୟବହାର କରିଛନ୍ତି, ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି। ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା ରଖିଛି।




