ଆସନ୍ତାକାଲି ଠାରୁ ବାତ୍ୟା କ୍ଷୟକ୍ଷତି ଆକଳନ - ମନ୍ତ୍ରୀ

ନିୟମ ଅନୁସାରେ ଚାଷୀଙ୍କୁ ଦିଆଯିବ ଇନ୍ପୁଟ୍ ସବ୍ସିଡି

ଆସନ୍ତାକାଲି ଠାରୁ ବାତ୍ୟା କ୍ଷୟକ୍ଷତି ଆକଳନ - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଚାଲିଗଲା ବାତ୍ୟା, ଟଳିଲା ବିପଦ । ଆସନ୍ତା କାଲିଠାରୁ ବାତ୍ୟା ପ୍ରଭାବିତ ଜିଲ୍ଲାରେ ହେବ କ୍ଷୟକ୍ଷତି ଆକଳନ । ପଛକୁ ପଛ ୩ଟି ବାତ୍ୟା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ସହିତ ଚାଷୀ ଭାଇଙ୍କର ଅଣ୍ଟା ଭାଙ୍ଗି ଯାଇଛି । କେଉଁଠି ଫସଲ ନଷ୍ଟ ହୋଇଛି, କେଉଁଠି ଧାନ ଓଦା ହୋଇଛି, କେଉଁ ଅଞ୍ଚଳରେ ଘରଦ୍ୱାର ଓ ଅନ୍ୟ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି, ତାହାର ତଥ୍ୟ ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବା ସହ ଚାଷୀଙ୍କ ଉପରେ ରହିବ ସରକାରଙ୍କ ବିଶେଷ ନଜର । ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ନିୟମ ଅନୁସାରେ ଇନ୍ପୁଟ୍ ସବ୍ସିଡି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି  । ସେହିପରି ଯେଉଁ ଚାଷୀଙ୍କ ଧାନ ବର୍ଷାରେ ଓଦା ହୋଇଛି, ସେମାନଙ୍କୁ ମଧ୍ୟ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ । ତେଣୁ କ୍ଷୟକ୍ଷତିର ସଠିକ୍ ଆକଳନ ଏବଂ ଯୋଗ୍ୟ ଚାଷୀଙ୍କ ଚିହ୍ନଟ ହେବ ଗୁରୁତ୍ୱପୂର୍ଣ୍ଣ।

ସେପଟେ ବାତ୍ୟା ପରେ ବନ୍ୟା ମୁକାବିଲା ନେଇ ମଧ୍ୟ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଚିନ୍ତା କରୁଛନ୍ତି ସରକାର। ବର୍ଷା ଓ ବନ୍ୟା ସମୟରେ ଯେପରି ଲୋକଙ୍କୁ ବାରମ୍ବାର ଜଳବନ୍ଦୀ ସମସ୍ୟାର ସାମ୍ନା କରିବାକୁ ନପଡ଼େ, ସେଥିପାଇଁ ସ୍ଥାୟୀ ପଦକ୍ଷେପ ଉପରେ ଗୁରୁତ୍ୱ ରହିବ। ଏହାସହ ବିଭିନ୍ନ ଅଞ୍ଚଳରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ନିୟୋଜିତ ଅଧିକାରୀମାନେ ଆସନ୍ତାକାଲିଠାରୁ ଫେରିବା ଆରମ୍ଭ କରିବେ। ପରିସ୍ଥିତି ସମୀକ୍ଷା ଏବଂ କ୍ଷୟକ୍ଷତି ଆକଳନ ପ୍ରକ୍ରିୟାରେ ଏହା ଗୁରୁତ୍ୱ ରଖିବ।

 

Tags: