୧୮ରୁ ବିଧାନସଭା ଅଧିବେଶନ, ଜାରି ହେଲା ଟ୍ରାଫିକ କଟକଣା

୧୮ରୁ ବିଧାନସଭା ଅଧିବେଶନ, ଜାରି ହେଲା ଟ୍ରାଫିକ କଟକଣା
Samaya Live News Picture
Published On

ଭୁବନେଶ୍ୱର : ନଭେମ୍ବର ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଷ୍ଟମ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଧାନସଭା ଚତୁଃପାର୍ଶ୍ୱରେ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଘୋଷଣା କାରାଯାଇଛି । ସୁରକ୍ଷା ବ୍ୟବସ୍ଥା ଏବଂ ଗାଡ଼ି ଚଳାଚଳକୁ ସୁଗମ କରିବା ପାଇଁ ଏହି କଟକଣା ନଭେମ୍ବର ୧୮ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିଥିବା ସମସ୍ତ ଦିନରେ ବଳବତ୍ତର ରହିବ । 

ବିଧାନସଭା ପରିସରରେ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ଏବଂ ସୁଗମ ଟ୍ରାଫିକ୍ ପରିଚାଳନା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି । ଏଥିପାଇଁ ​ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ଗତି କରିବେ । ବିଧାନସଭା ଦେଇ ବା  ସଂଲଗ୍ନ ରାସ୍ତାରେ ସର୍ବସାଧାରଣ ଯାତାୟତ ମନା । 

ସେହିପରି  ଏ.ଜି. ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ନିକଟସ୍ଥ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯିବେ । ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରୁ ଆସୁଥିବା ଯାନବାହନ ଲୋୟର ପି.ଏମ୍.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ବ୍ୟବହାର କରିବେ । ​୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଥିବା ଯାନବାହନ ପାୱାର ହାଉସ୍ ଛକ ଦେଇ ଯିବେ ।

​ଲୋକଭବନ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଅଭିମୁଖେ ଯାଉଥିବା ଯାନବାହନ ଶାସ୍ତ୍ରୀ ନଗର ଛକ ଦେଇ ଯିବେ । ​ଜରୁରୀ ସେବାରେ ନିୟୋଜିତ ଯାନବାହନ (ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ) ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ଅଧିକୃତ ଗାଡ଼ିଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ । ଅଧିବେଶନ ଚାଲିବା ସମୟ ଯାଏଁ ଏହି ନିୟମ ବଳବତ୍ତର ରହିବ ।

ଅନ୍ୟପଟେ, ଜରୁରୀକାଳୀନ ସେବା ଯଥା : ପୋଲିସ, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଭଳି  ଗାଡ଼ିଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ । ବିଧାନସଭା, ଲୋକସେବା ଭବନ ଏବଂ ଉକ୍ତ ଅଞ୍ଚଳରେ ଥିବା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ଅନୁମତି ପାଇଥିବା ଗାଡ଼ିଗୁଡ଼ିକ ପୂର୍ବଭଳି ଯାତାୟାତ କରିପାରିବେ।

Tags: