ସୋମବାର ଯାଏଁ ବିଧାନସଭା ମୁଲତବୀ ଘୋଷଣା

ସୋମବାର ଯାଏଁ ବିଧାନସଭା ମୁଲତବୀ ଘୋଷଣା
Samaya Live News Picture
Published On

ଭୁବନେଶ୍ଵର: ସୋମବାର ସକାଳ ସାଢେ ୧୦ଟା ଯାଏଁ ବିଧାନସଭା ମୁଲତବୀ । ବାତ୍ୟା 'ଆକଭାନ୍' ଏବଂ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଓଡ଼ିଶା ବିଧାନସଭାକୁ ଆସନ୍ତା ସୋମବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ଏନେଇ ବାଚସ୍ପତି ସୁରମା ପାଢୀ ଘୋଷଣା କରିଛନ୍ତି । ଶନିବାର ବିଧାନସଭାରେ ପ୍ରଶ୍ନୋତ୍ତର ବନ୍ଦ ରହିବ । 

ଶୁକ୍ରବାର ସକାଳେ ଗୋପାଳପୁର ନିକଟରେ ବାତ୍ୟା 'ଆକଭାନ୍' ସ୍ଥଳଭାଗ ଛୁଇଁଥିବାରୁ ରାଜ୍ୟର ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର ବିଧାନସଭା ବନ୍ଦ ରଖିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେପଟେ, ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ।

ଗଞ୍ଜାମ ବନ୍ୟା ପରିଚାଳନାରେ ବିଫଳତା ଅଭିଯୋଗ ଆଣି ବିଜେଡି ସରକାରଙ୍କୁ ଘେରିଥିବା ବେଳେ, ଆନ୍ଧ୍ର ପ୍ରଦେଶ ସହ କୋଟିଆ ସୀମା ବିବାଦ ଉପରେ ଆଲୋଚନା ଦାବି କରି କଂଗ୍ରେସ ସଦସ୍ୟମାନେ ହଙ୍ଗାମା କରିଥିଲେଆଜି ମଧ୍ୟ ବିଧାନସଭା  ଆରମ୍ଭରୁ ହଙ୍ଗାମା ଦେଖିବାକୁ ମିଳିଥିଲା ।  ଗତକାଲି ଭଳି ସମାନ ପ୍ରସଙ୍ଗରେ ଗୃହ ମଧ୍ୟ ଭାଗରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ । ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ନେଇ ସ୍ବତନ୍ତ୍ର ଆଲୋଚନା ପାଇଁ  ବିଜେଡି ଦାବି କରିଥିଲା । ସେହିପରି କୋଟିଆ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ କଂଗ୍ରେସ ହଟଗୋଳ କରିଥିଲା । ଏହାପରେ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତଥାପି ଗୃହକାର୍ଯ୍ୟ ସ୍ଵାଭାବିକ ନହେବାରୁ ବିଧାନସଭାକୁ ସୋମବାର ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । 

Tags: