ସୋମବାର ଯାଏଁ ବିଧାନସଭା ମୁଲତବୀ ଘୋଷଣା

ସୋମବାର ଯାଏଁ ବିଧାନସଭା ମୁଲତବୀ ଘୋଷଣା
Samaya Live News Picture
Published On

ଭୁବନେଶ୍ୱର : ଚାଲିପାରୁନାହିଁ ବିଧାନସଭା ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଏସସିବି ତାତିକୁ ନେଇ ଗତ ୧୭ ତାରିଖରୁ ଏଯାଏଁ ଦୀର୍ଘ ୧୦ଦିନ ଧରି ଗୃହରେ ଜାରି ରହିଛି ଅଚଳାବସ୍ଥା । ବିରୋଧୀଙ୍କ ନାରାବାଜି ଏବଂ ହଟ୍ଟଗୋଳ ଭିତରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଏସସିବି ଅଗ୍ନିକାଣ୍ଡ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।  

ସେପଟେ, ଏସସିବି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଥିଲେ। ତେବେ ଗତ ୧୭ ତାରିଖରୁ ଏସ୍‌ସିବି ମେଡ଼ିକାଲ ଅଗ୍ନିକାଣ୍ଡ ପ୍ରସଙ୍ଗକୁ ନେଇ ଲଗାତାର ଭାବେ ବିରୋଧୀମାନେ ଗୃହରେ ହଟ୍ଟଗୋଳ କରିଆସୁଛନ୍ତି । 

ସୂଚନାନୁସାରେ,  ଆଜି ପବିତ୍ର ଅଶୋକାଷ୍ଟମୀ ଏବଂ ରୁକୁଣା ରଥଯାତ୍ରା ପାଇଁ ଅଧାରୁ ବିଧାନସଭା ବନ୍ଦ ହୋଇଥିବା ବେଳେ ଶୁକ୍ରବାର ରାମନବମୀ ପାଇଁ ବନ୍ଦ ରହିବ । ସେହିପରି ୨୮ ତାରିଖରେ ମାସର ଶେଷ ଶନିବାର ହୋଇଥିବାରୁ ବନ୍ଦ ରହିବ ବିଧାନସଭା କାର୍ଯ୍ୟଦିବସ । ଏହାପରେ ପଡ଼ୁଛି ରବିବାର । ସର୍ବମୋଟ ତିନି ଦିନ ବନ୍ଦ ରହିବ ବିଧାନସଭା ।

 

Tags: