ସ୍କୁଲରେ ଲାଗିବ ଆକ୍ଵାଗାର୍ଡ - ଗଣଶିକ୍ଷାମନ୍ତ୍ରୀ
ଜଣ୍ଡିସର ନିରାକରଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବ
ଭୁବନେଶ୍ବର : ସ୍କୁଲରେ କ’ଣ ପାଇଁ ଜଣ୍ଡିସ୍ ବ୍ୟାପୁଛି ସେ ନେଇ ତଦନ୍ତ ହେବ । ଆବଶ୍ୟକ ପଡିଲେ ସ୍କୁଲରେ ଆକ୍ଵାଗାର୍ଡ ଲାଗିବ । ଜଣ୍ଡିସ୍ ବ୍ୟାପିବାର କାରଣ ଖୋଜିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀ କହିଛନ୍ତି, ଜଣ୍ଡିସ୍ ବ୍ୟାପିବା ଚିନ୍ତାର ବିଷୟ । ଏହାର କାରଣ କ’ଣ ଜାଣିବା ଏବଂ ନିରାକରଣର ଆବଶ୍ୟକତା ରହିଛି । ଏହାକୁ ବିଭାଗ ଗୁରୁତର ସହିତ ନେଇ ନିରାକରଣ ପନ୍ଥା ବାହାର କରୁଛି । ଜଣ୍ଡିସ୍ ନିରାକରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ହାତକୁ ନେବ ଗଣଶିକ୍ଷା ବିଭାଗ ।
ସେପଟେ,ଢେଙ୍କାନାଳ ଗଦିଆଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ କାମଳରେ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗଳବାର ଗଦିଆଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମଣ୍ଡଳ ଶିକ୍ଷା ଅଧିକାରୀ ବିଦ୍ୟାଳୟର ପରିଦର୍ଶନ କରି ପରିମଳ ବ୍ୟବସ୍ଥାର ତଦାରଖ କରିଛନ୍ତି । ଏହି ସମୟରେ ଅଭିଭାବକମାନେ ତାତିଛନ୍ତି । ଅଭିଭାବକମାନେ ବିଇଓଙ୍କୁ ଘେରି ବିଦ୍ୟାଳୟରେ ଥିବା ପାଇଖାନାକୁ ଦେଖାଇଛନ୍ତି । ନିୟମିତ ବ୍ୟବଧାନରେ କାହିଁକି ଯାଞ୍ଚ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ବରପଦାର ଏକ ସ୍ୱାସ୍ଥ୍ୟ ଟିମ୍ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।
ସୂଚନାନୁସାରେ, ପ୍ରଥମେ ଖୋର୍ଦ୍ଧା ନବୋଦୟ ସ୍କୁଲରେ ବ୍ୟାପିଥିଲା ଜଣ୍ଡିସ୍ । ୫୦ ପାଖାପାଖି ଛାତ୍ରଛାତ୍ରୀ ଓ ୨ ସ୍କୁଲ ଷ୍ଟାଫ୍ ଆକ୍ରାନ୍ତ ହୋଇଥିବା ଖବର ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ପରେ ଢ଼େଙ୍କାନାଳରେ ମଧ୍ୟ ଜଣ୍ଡିସ୍ ବ୍ୟାପିଥିଲା ।ଜିଲ୍ଲାପାଳଙ୍କୁ ମଧ୍ୟ ଏ ନେଇ ଅବଗତ କରାଯାଇଛି ।



