୫ ପଞ୍ଜିକାକୁ ଅନୁମୋଦନ
ପୁରୀ: ଏଥର ପର୍ବ ପର୍ବାଣୀକୁ ନେଇ ହଟିବ ଦ୍ୱନ୍ଦ୍ୱ । ନିର୍ଭୁଲ ହେବ ପଞ୍ଜିକା ଗଣନା । ପାଞ୍ଚଟି ପଞ୍ଜିକାକୁ ସମୀକ୍ଷା କରାଯାଇ ତ୍ରୁଟି ସଂଶୋଧନ ଅନୁମୋଦନ ଦେଇଛି ମୁକ୍ତି ମଣ୍ଡପ । ୮ ଟି ପଞ୍ଜିକା ପ୍ରକାଶନ ସଂସ୍ଥାକୁ ପ୍ରଶାସନ ଚିଠି କରିଥିଲା କିନ୍ତୁ ଦାଖଲ ହୋଇଥିଲା ୫ଟି ପାଣ୍ଡୁଲିପି ।
ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ପଞ୍ଜିକା ସମୀକ୍ଷା ବୈଠକ । ୨୦୨୬-୨୭ ବର୍ଷ ପାଇଁ ପ୍ରକାଶ ପାଉଥିବା ପାଞ୍ଜି ଗୁଡ଼ିକ କିଭଳି ନିର୍ଭୁଲ ଓ ତ୍ରୁଟିଶୂନ୍ୟ ହୋଇପାରିବ ସେ ନେଇ ଆଲୋଚନା ହୋଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମୀକ୍ଷା ବୈଠକରେ ପାଞ୍ଚ ଜଣ ପାଞ୍ଜିକାର, ସେବାୟତ, ମୁକ୍ତିମଣ୍ଡପ ପଣ୍ଡିତ ସଭା କାର୍ଯ୍ୟକର୍ତ୍ତା, ଛତିଶାନିଯୋଗ ମହାନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଞ୍ଜିକା ତ୍ରୁଟି ସୁଧାରିବା ଏବଂ ପର୍ବପର୍ବାଣି ବିଭ୍ରାଟ ରୋକିବା ପାଇଁ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ପାଞ୍ଜି ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପାଞ୍ଜିକାରଙ୍କୁ ଡକାଯାଇଥିଲାବେଳେ ମାତ୍ର ୫ଜଣ ପାଞ୍ଜିକାର ଉପସ୍ଥିତ ଥିଲେ । ରାଧାରମଣ, କୋହେନୂର, ଅରୁଣୋଦୟ, ଜି.ଏନ୍ ତ୍ରିପାଠୀ ଓ ଭାଗ୍ୟୋଦୟ ପାଞ୍ଜିକାର ଉପସ୍ଥିତ ରହି ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଛନ୍ତି । ପାଞ୍ଜି ଗୁଡ଼ିକର ସମୀକ୍ଷା କରାଯାଇ ତ୍ରୁଟି ସଂଶୋଧନ କରାଯାଇଛି । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା, ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଵୀକୃତ ଏହି ପାଞ୍ଚୋଟି ପାଞ୍ଜି ଗୋଟିଏ ପ୍ରକାର ପ୍ରସ୍ତୁତ ହୋଇଛି । ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ବାରା ସଂଶୋଧନ ପରେ ଏହି ୫ ଟି ପାଞ୍ଜି ନିର୍ଭୁଲ ଓ ତ୍ରୁଟି ଶୂନ୍ୟ ହୋଇପାରିଛି । ବିଶେଷ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି ଓ ପର୍ବପର୍ବାଣୀକୁ ସଂପୂର୍ଣ୍ଣ ତ୍ରୁଟି ଶୂନ୍ୟ କରାଯାଇଛି । ତେବେ କିଛି ଲୋକ ବ୍ୟବସାୟ ପାଇଁ ଆଗୁଆ ତ୍ରୁଟିପୂର୍ଣ୍ଣ ପାଞ୍ଜି ପ୍ରକାଶ କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।



