ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଫେରାଦ
ଭୁବନେଶ୍ୱର : ପଦ ହରାଇବେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟରେ ଆବେଦନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ସହ ବିଧାୟକ ରାମଚନ୍ଦ୍ର କଡାମ ଏବଂ ସିଏସ ରାଜନ ଏକ୍କା । ଏନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ବାଚସ୍ପତି ଗ୍ରହଣ କରିବା ପରେ ରମେଶ ଜେନାଙ୍କ ସଭ୍ୟ ପଦ ରଦ୍ଦ ନେଇ ପ୍ରକ୍ରିୟା ଆରମ୍ଭ ହେବ ।
ପୂର୍ବରୁ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ଦାଶରଥି ଗମାଙ୍ଗଙ୍କ ସଭ୍ୟ ପଦ ରଦ୍ଦ ନେଇ ଆବେଦନ ହୋଇଥିବା ବେଳେ ଆଜି ରମେଶ ଜେନାଙ୍କୁ ନେଇ କଠୋର ନିଷ୍ପତ୍ତି ନେଇଛି ଦଳ । ସାନଖେମୁଣ୍ଡି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆବେଦନ କରିଛି ପ୍ରଦେଶ କଂଗ୍ରେସ ।
ସୂଚନା ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ରମେଶ ଜେନା କଂଗ୍ରେସ ନୀତି ବିରୋଧରେ ଯାଇ କଂଗ୍ରେସ ଓ ବିଜେଡି ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଭୋଟ୍ ଦେବା ବଦଳରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । କେବଳ ରମେଶ ଜେନା ନୁହେଁ ତାଙ୍କୁ ଲଗାଇ ମୋଟ୍ ୩ଜଣ କଂଗ୍ରେସ ଏମଏଲଏ କ୍ରସ୍ ଭୋଟିଂ କରିଥିଲେ । ଯାହା ଫଳରେ ଦତ୍ତେଶ୍ବର ହୋତା ହାରିଯାଇଥିଲେ ଏବଂ ଦିଲ୍ଲୀପ ରାୟଙ୍କର ବିଜୟ ହୋଇଥିଲା । ଏହାପରେ ପିସିସି ସଭାପତି ଭକ୍ତ ଚରଣ ଦାସ ସେମାନଙ୍କ ଉପରେ ଆକ୍ସନ ନେଇଥିଲେ । ସମସ୍ତ ତିନି ବିଧାୟକଙ୍କୁ କଂଗ୍ରେସରୁ ନିଲମ୍ବିନ କରାଯାଇଛି ।



