୨୦ ହଜାର ଟଙ୍କାରେ କରିପାରିବେ ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ
ଭୁବନେଶ୍ୱର : ବିଲଡରଙ୍କ ମାନମାନିରେ ରୋକ ଲଗାଇଲେ ସରକାର । ଏଣିକି ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ । ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର ହୋଇଛି । ରାଜ୍ୟ ସରକାର ଏହି ପଞ୍ଜିକରଣକୁ ସହଜ କରିଛନ୍ତି । ଏଣିକି ୨୦ ହଜାର ଟଙ୍କାରେ ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ କମନ ଏରିଆ ପଞ୍ଜିକରଣ କରାଯିବ । ରାଜସ୍ବ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି ।
ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ ମାଲିକାନା ସେଠାକାର ବାସଗୃହ କ୍ରେତାଙ୍କ ହାତକୁ ଯିବ। ଆସୋସିଏସନ୍ ଅଫ ଆଲଟି ବା ବାସଗୃହ କ୍ରେତାଙ୍କ ସଂଘ ନାମରେ ପଞ୍ଜୀକୃତ ହେବ କମନ୍ ଏରିଆ। ଏଥିପାଇଁ ରେଜିଷ୍ଟ୍ରେସନ୍ ନିୟମରେ ସଂଶୋଧନ ଆଣିଲା ରାଜସ୍ବ ବିଭାଗ। ପୂର୍ବରୁ କମନ୍ ଏରିଆ ରେଜିଷ୍ଟ୍ରେସନ ଫିକୁ ନେଇ ଉପୁଜିଥିଲା ଦ୍ୱନ୍ଦ୍ଵ
୨୦୨୩ ମସିହାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଆଇନ ଆସିବା ସତ୍ତ୍ବେ କମନ ଏରିଆ ପଞ୍ଜୀକରଣକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ଫଳରେ ଆପାର୍ଟମେଣ୍ଟ ପଞ୍ଜିକରଣରେ ଏହା ବାଧକ ସୃଷ୍ଟି ହୋଇଥିଲା । ଗତବର୍ଷ ନଭେମ୍ବରରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଅଂଶୀଦାରଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଆପାର୍ଟମେଣ୍ଟର କମନ ଏରିଆ ପଞ୍ଜିକରଣକୁ ବ୍ୟବସ୍ଥିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।




