ସମ୍ବଲପୁର ରେ ପୁଣି ଭିଡ଼ ହିଂସା , ଯୁବକଙ୍କୁ ଉଦ୍ଧାର କଲା ପୋଲିସ

ସମ୍ବଲପୁର ରେ ପୁଣି ଭିଡ଼ ହିଂସା , ଯୁବକଙ୍କୁ ଉଦ୍ଧାର କଲା ପୋଲିସ
Samaya Live News Picture
Published On

ସମ୍ବଲପୁର : ଥମୁନାହିଁ ଭିଡ଼ ହିଂସା । କଲ୍ୟାଣସିଂପୁର ଘଟଣା ର ଦିନ କେଇଟା ପରେ ପୁଣି ସମ୍ବଲପୁରରେ ଘଟଣାର ପୁନରାବୃତ୍ତି ଘଟିଛି । ପିଲାଚୋର ସନ୍ଦେହରେ ଜଣେ ଅଣଓଡ଼ିଆ ଯୁବକଙ୍କୁ ପିଟି ପିଟି ଗୁରୁତର କରିଛନ୍ତି ଲୋକେ । ଗୁରୁତର ହୋଇଥିବା ଯୁବକଙ୍କୁ ଘୋଷାରି ନିର୍ଘାତ ମାଡ଼ ମରାଯାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ସହ କିଛି ଯୁବକ ବ୍ୟକ୍ତିଙ୍କ ବ୍ୟାଗ କୁ ଖୋଲି ଯାଞ୍ଚ କରୁଥିବା ବେଳେ କିଛି ଉତ୍ୟକ୍ତ ବ୍ୟକ୍ତି ଯୁବକଙ୍କ ଚାରିପଟେ ଘେରି ରହିଥିବାର ଦେଖିବାକୁ ମିଳିଛି । ଗୁରୁତର ଯୁବକ ହେଲେ କେରଳର ବିଷ୍ଣୁ ଶିବୁ । ସେ ବରଗଡ଼ ଜିଲ୍ଲାରେ ଜଣେ କଣ୍ଟ୍ରାକ୍ଟର ଅଧିନରେ ଶ୍ରମିକ କାମ କରୁଥିଲେ । ଗତ ୧୫ଦିନ ତଳେ ସେ ବରଗଡ଼ରୁ ସମ୍ବଲପୁର ପଳାଇ ଆସି କାମ ଖୋଜୁଥିଲେ । ତେବେ ଏହି ଘଟଣାରେ କ୍ଷେତରାଜପୁର ପୋଲିସ ସୂଚନା ପାଇଁ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ  l  

ଘଟନାନୁସାରେ, ଗତ ରବିବାର ଦିନ ସକାଳେ ସମ୍ବଲପୁର ସହର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ଜଣେ ଅଣଓଡ଼ିଆ ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ ଯୁବକ ବର୍ବରତାର ସହ ମାଡ଼ ମାରିଛନ୍ତି । ଆହତ ଯୁବକ ଜଣକ କେରଳ ରାଜ୍ୟ ଆଲେପି ଞ୍ଚଳର ବିଷ୍ଣୁ ଶିବୁ (୩୧) । ସେ ବରଗଡ଼ ଜିଲାର ଏକ ଜଣେ କଂଟ୍ରାକ୍ଟରଙ୍କ ଅଧୀନରେ ଏକ ଓ୍ବେଲଡିଂ ଗ୍ୟାରେଜରେ କାମ କରୁଥିଲେ । ତେବେ ସେ ସେଠାରେ କାମ ଛାଡ଼ି ରବିବାର ସକାଳେ ନୂତନ କାମ ସନ୍ଧାନରେ ସମ୍ବଲପୁର ଆସିଥିଲେ। ଧୋବାପଡ଼ା ଅଞ୍ଚଳରେ ସେ ବୁଲୁଥିବା ସମୟରେ ସ୍ଥାନୀୟ ଯୁବକମାନେ ତାଙ୍କୁ ପଚରାଉଚରା କରିଥିଲେ । ମାତ୍ର ଭାଷାଗତ ସମସ୍ୟା ଯୋଗୁ ତାଙ୍କ କଥାବାର୍ତ୍ତାରେ ତାଳମେଳ ରହି ନ ଥିଲା। ତେଣୁ ସ୍ଥାନୀୟ ଲୋକ ସେ ଜଣେ ପିଲା ଚୋର ବୋଲି ସନ୍ଦେହ କରି ସ୍ଥାନୀୟ ଯୁବକମାନେ ତାଙ୍କୁ ତଳେ ପକାଇ ନିର୍ଦ୍ଦୟ ଭାବେ ମାଡ଼ ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଏହି ସମଗ୍ର ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଘଟଣା ସମ୍ପର୍କରେ ଖବର ପାଇ କ୍ଷେତରାଜପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଷ୍ଣୁଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଚିକିତ୍ସା କରାଇଛି । ଏହି ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କୁ ଅଟକ ରଖାଯାଇଥିବା ସମ୍ବଲପୁର ଏସପି ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି । ଅପରପକ୍ଷରେ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ବିଷ୍ଣୁଙ୍କୁ ପୋଲିସ ରାତିରେ ଟ୍ରେନ୍‌ ଯୋଗେ ତାଙ୍କ ନିଜ ଗ୍ରାମ ଘର ଆଲେପିକୁ ପଠାଇ ଦେଇଥିବା ସୂଚନା ମିଳିଛି।

 

Tags: