ଆଉ ଏକ ଲଘୁଚାପ ସମ୍ଭାବନା, ୧୨ ଯାଏଁ ଭିଜିବ ଓଡିଶା
ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟକୁ ପୁଣି ଏକ ଲଘୁଚାପ ସମ୍ଭାବନା । ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୧୨ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ଲାଗିରହିବ ଝଡ଼ବର୍ଷା । ବର୍ତ୍ତମାନ ସଦୃଶ ଲଘୁଚାପ ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ-ପଶ୍ଚିମ ଓ ଉତ୍ତର-ପଶ୍ଚିମ ଅଞ୍ଚଳରେ ସକ୍ରିୟ ରହିଛି । ଦୁର୍ବଳ ହେବା ପରେ ପାଗ ବଦଳିବା ସହ ବର୍ଷା କମିଛି, ଆସନ୍ତା ୫ ଦିନ ପର୍ଯ୍ୟନ୍ତ କେତେକ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ ।
ସେହିପରି ଆଜି ପାଇଁ ୬ ଜିଲ୍ଲାକୁ ଝଡବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକରେ ବର୍ଷା ସହ ବିଜୁଳି ଘଡଘଡି ହୋଇପାରେ । ରାଜ୍ୟର ବାକି ସମସ୍ତ ଜିଲ୍ଲାରେ ପାଣିପାଗ ସ୍ଵାଭାବିକ ରହିବ । ଉତ୍ତର ଓଡି଼ଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଘଡଘଡି ଲାଗି ରହିବ । ଗତ ୨୪ ଘଣ୍ଟାରେ ନୟାଗଡ଼ ଓ ରାଉରକେଲାରେ ସାମାନ୍ୟ ବର୍ଷା ହୋଇଛି । ବର୍ଷା ନ ଥିବାରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ଖସିଛି । ତେବେ ବୈତରଣୀର ଆଖୁଆପଦାଠାରେ ନଦୀ ଜଳସ୍ତର ସାମାନ୍ୟ ଅଧିକ ରହିଛି ।




