ଆସୁଛି ଆଉ ଏକ ଲଘୁଚାପ !

ସୁନ୍ଦରଗଡ଼, ଭଦ୍ରକ ଓ ଯାଜପୁରରେ ସ୍କୁଲ ଛୁଟି ଘୋଷଣା

ଆସୁଛି ଆଉ ଏକ ଲଘୁଚାପ !
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟକୁ ପିଛା ଛାଡୁନାହିଁ ଲଘୁଚାପ । ଧାଡି ଧାଡି ହୋଇ ପଛକୁ ପଛ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ । ଳଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟରେ ହାଲ ବେହାଲ ହୋଇଥିବାବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ପ୍ରଭାବରେ ଆଗାମୀ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ବର୍ଷା ଲାଗି ରହିବ । ଏଥିପାଇଁ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ପାଇଁ ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ଼, ଭଦ୍ରକ ଓ ଯାଜପୁରରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏସବୁ ଜିଲ୍ଲାରେ ଆଜି ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

ସେପଟେ ଆଜି ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। କିଛି ଜିଲ୍ଲାକୁ ଅରେଞ୍ଜ ଓ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ।

ରାଜ୍ୟରେ ବରଗଡ, ଝାରସୁଗୁଡା, ସୁନ୍ଦରଗଡରେ ୧୨ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ ଓ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ୩ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ, ଚତୁର୍ଥ ଥର ପାଇଁ ପୁଣି ବୈତରଣୀ ନଦୀରେ ଆସିଛି ବନ୍ୟା ଜଳ। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର। ବିପଦ ସଂକେତ ୧୮.୩୩ ଥିବା ବେଳେ ବର୍ତ୍ତମାନ୍ ସୁଦ୍ଧା ୧୯.୨୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେପଟରେ ଅନେକ ଗାଁ ଜଳବନ୍ଦୀ ଥିବା ବେଳେ ପୁଣି ବନ୍ୟା ପାଣି ଆସିବାରୁ ବନ୍ୟା ବିପନ୍ନଙ୍କ ଦୁଃଖ ବଢାଇ ଦେଇଛି।

Tags: