ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ପୁଣି ଭିଜିବ ରାଜ୍ୟ

ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ପୁଣି ଭିଜିବ ରାଜ୍ୟ
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ନୂତନ ଲଘୁଚାପଟି କ୍ରମଶଃ ଘନୀଭୂତ ହୋଇ ରାଜ୍ୟ ଉପକୂଳ ମୁହାଁ ହେବାର ଆଶଙ୍କା ରହିଛି। ଏହା ପ୍ରଭାବରେ ୨୨ ତାରିଖରୁ ବିଶେଷକରି ଉପକୂଳବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ। ପ୍ରଥମେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ ଏବଂ ପରବର୍ତ୍ତୀ ସମୟରେ ଏହା ସାରା ରାଜ୍ୟକୁ ପ୍ରଭାବିତ କରିବ। ପୂର୍ବରୁ ଥିବା ଏକ ଲଘୁଚାପର ପ୍ରଭାବ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ଲଗାତାର ଭାବେ ଆସୁଥିବା ଏହି ଦ୍ୱିତୀୟ ଲଘୁଚାପ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି।

ସେପଟେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଫଳରେ ରାଜ୍ୟରେ ବର୍ଷା ପରିମାଣ କମିଥିଲେ ମଧ୍ୟ ଆସନ୍ତା ୧୭ ତାରିଖ ଯାଏ ବର୍ଷା ଓ ବଜ୍ରପାତ ଲାଗି ରହିବ । ଆଜି ପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୮ଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । 

ସେହିଭଳି, ୧୫ ଓ ୧୬ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ଓ ଆଉ କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ସମ୍ଭାବନା ଥିବାରୁ ସତର୍କ କରାଯାଇଛି।

 

Tags: