ଆସୁଛି ପୁଣି ଏକ ଲଘୁଚାପ ,ଆଜି ୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର : ରାଜ୍ୟକୁ ପିଛା ଛାଡୁନାହିଁ ଲଘୁଚାପ । ଉପକୂଳରୁ ଉପାନ୍ତ ସବୁଠି ପ୍ରବଳ ବର୍ଷା । ପଛକୁ ପଛ ଆସୁଥିବା ଲଘୁଚାପ ପ୍ରଭାବରେ ବନ୍ୟା ଦୁର୍ଦ୍ଦଶା କମିନଥିବାବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଆଜି ମଧ୍ୟ ପୂରା ଓଡ଼ିଶାକୁ ଜାରି ହୋଇଛି ୱାର୍ଣ୍ଣିଂ । ଉତ୍ତର ଓଡିଶା ପରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରାଯାଉଛି । ପ୍ରବଳ ବର୍ଷା ପାଇଁ ଆଜି ୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଏହି ଜିଲ୍ଲା ଗୁଡ଼ିକର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ବାକି ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ଆସନ୍ତାକାଲି ମଧ୍ୟ ଅଧା ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ , ଆଭ୍ୟନ୍ତରୀଣ, ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବା ସହ ୨୭ ତାରିଖ ବେଳକୁ ବିସ୍ତୃତି ବଢ଼ିବ । ସେହିପରି ୨୯ ଓ ୩୦ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାସହ ସେପ୍ଟେମ୍ବର ୧୫ ଯାଏଁ ଗୋଟେ ପରେ ଗୋଟେ ଘୂର୍ଣ୍ଣିବଳୟ ଆସିବାର ସମ୍ଭାବନା ରହିଛି । ଯାହା ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।




