୧୩ ରେ ପୁଣି ଏକ ଲଘୁଚାପ !

୧୩ ରେ ପୁଣି ଏକ ଲଘୁଚାପ !
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟକୁ ପୁଣି ଏକ ଲଘୁଚାପ ସମ୍ଭାବନା । ଆସନ୍ତା ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶ-ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ସମାନ ଅଞ୍ଚଳରେ ୧୩ ତାରିଖରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହା ପ୍ରଭାବରେ ଉତ୍ତର ଓଡିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାମାନଙ୍କରେ ଆଜି ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼, ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ଅନୁଗୋଳ, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷାର ପ୍ରଭାବ ରହିପାରେ । ଉତ୍ତର ଓଡ଼ିଶାରେ ବର୍ଷା ସହ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ସେପଟେ ଅଗଷ୍ଟ ୨୧ ବେଳକୁ ଆଉ ଏକ ସିଷ୍ଟମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ପାଣିପାଗ ବିଭାଗ ମଡେଲ ସୂଚନା ଦେଇଛି । ତେବେ ୧୫ ଦିନ ଭିତରେ ପଛକୁ ପଛ ୩ଟି ଲଘୁଚାପ ଚିନ୍ତା ବଢାଇଛି । ମହାନଦୀ ସମେତ ରାଜ୍ଯରେ ବିଭିନ୍ନ ବଡ଼ ବଡ଼ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇପାରେ । ଅନ୍ୟପଟେ, ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି  । ବୈତରଣୀ , କାଣୀ ,ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ଜଳ ମାଡୁଛି ।

ସେହିପରି ଦ୍ୱୈତ ସହର ଭୁବନେଶ୍ୱର ଓ କଟକ ପାଇଁ ମଧ୍ୟ ରହିଛି ବର୍ଷାର ସତର୍କତା । ଆଜି ଅପରାହ୍ନ ୧୨ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଉଭୟ ସହରରେ ତୀବ୍ର ବୃଷ୍ଟିପାତର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇଛି ।

Tags: