ନଭେମ୍ବର ଶେଷ ବେଳକୁ ପୁଣି ବାତ୍ୟା ଆଶଙ୍କା !
ଭୁବନେଶ୍ୱର : ନଭେମ୍ବର ଶେଷ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନଭେମ୍ବର ଶେଷ କିମ୍ୱା ଡିସେମ୍ବର ପ୍ରଥମ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହୋଇପାରେ । ଏନେଇ ପାଣିପାଗ ବିଶେଷଜ୍ଞ ଜେସନ୍ ନିକୋଲ୍ସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ପୂର୍ବାନୁମାନ କରିଥିବା ସୂଚନା ମିଳିଛି ।
ଭାରତୀୟ ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯ରୁ ୩୦ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ତେବେ ଘୂର୍ଣ୍ଣିବଳୟଟି ବାତ୍ୟାରେ ପରିଣତ ହେଲେ ମଧ୍ୟ ଏହାର ଗତିପଥ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଓଡ଼ିଶା ଉପରେ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ କୌଣସି ଚୂଡ଼ାନ୍ତ ସୂଚନା ଦିଆଯାଇନାହିଁ।
ଏନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ ଏବଂ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
ନଭେମ୍ବର ୧୯ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଦର୍ଶାଯାଇଛି । ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଅର୍ଥ ବାତ୍ୟା ହେବା ନୁହେଁ । ଏହା ପ୍ରଥମେ ଲଘୁଚାପରେ ପରିଣତ ହେବ କି ନାହିଁ ଏବଂ ପରେ ବାତ୍ୟାର ରୂପ ନେବ କି ନାହିଁ, ତାହା ପାଣିପାଗର ଅନୁକୂଳ ପରିସ୍ଥିତି ଉପରେ ନିର୍ଭର କରିବ ।
କିନ୍ତୁ ନୂଆ ପାଣିପାଗ ବ୍ୟବସ୍ଥା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ, ରାଜ୍ୟରେ ବର୍ଷା ହେବ କି ନାହିଁ ଏବଂ କେତେ ପରିମାଣର ବର୍ଷା ହୋଇପାରେ, ତାହା ଏବେ ଅନିଶ୍ଚିତ । ଆଗାମୀ କିଛି ଦିନରେ ପାଣିପାଗ ମଡେଲ୍ ଓ IMDର ପରବର୍ତ୍ତୀ ବୁଲେଟିନ୍ ରୁ ଏହି ସମ୍ଭାବ୍ୟ ପାଣିପାଗ ବ୍ୟବସ୍ଥା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ।




