'ରାହତବୀର' ଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ବୃଦ୍ଧି ପାଇଲା 'ରାହତବୀର'ଙ୍କ ସହାୟତା ରାଶି I ୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେବାରେ ସହଯୋଗ କରୁଥିବା ‘ରାହତବୀର’ଙ୍କୁ ଯଥାଶୀଘ୍ର ସହୟତା ରାଶି ପ୍ରଦାନ ଲାଗି ପ୍ରତି ଜିଲ୍ଲାରେ ‘ପ୍ରତିକାର ଅଧିକାରୀ’ ନିଯୁକ୍ତ ହେବେ । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏହି ଅଫିସରଙ୍କୁ ନିଯୁକ୍ତ କରିବେ । ପିଏମ୍-ରାହତ ଯୋଜନାରେ ଏହି ଅର୍ଥରାଶି ମିଳିବ ।
ଦୁର୍ଘଟଣାରେ ଆହତଙ୍କୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ପଞ୍ଜିକୃତ ହସ୍ପିଟାଲ ସଂଖ୍ୟା ୭୭୩କୁ ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଭିସିରେ କରାଯାଇଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟରେ ୨୦୨୫ ମସିହାରେ ୧୨ ହଜାର ୫୦୦ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା । ସେଥିରେ ୬ହଜାର ୩୦୦ ଜଣଙ୍କ ଜୀବନ ଯାଇଥିଲା ।
ଆହତଙ୍କୁ ହସ୍ପିଟାଲରେ ତୁରନ୍ତ ପହଞ୍ଚାଇବା ଲାଗି ସରକାରଙ୍କ ପକ୍ଷରୁ ‘୧୦୨’ ଟ୍ରୋଲ୍ ଫି ନମ୍ବର ଜାରି କରାଯାଇଛି । ଅନ୍ୟପଟରେ ରାଜ୍ୟରେ ଦୁର୍ଘଟଣାଗସ୍ତ ଆହତଙ୍କୁ ୪୮ ଘଣ୍ଟା ନୁହେଁ ୭ ଦିନ ପାଇଁ ମାଗଣା ଚିକିତ୍ସା ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ‘ପ୍ରଧାନମନ୍ତ୍ରୀ ରାହତ ଯୋଜନା’ ରେ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ମାଗଣା ସେବା ମଳିବ। ଆହତଙ୍କୁ ଗୋଲ୍ଡେନ୍ ଆୱାର ଭିତରେ ଚିକିତ୍ସା ମିଳିବା ପାଇଁ ଅଧିକରୁ ଅଧିକ ରାହାତବୀର ସାମିଲ ହେବା ପାଇଁ ଗୁରୁତ୍ୱ ଦିଆଯାଇଛି। ସରକାରୀ ହସ୍ପିଟାଲ ବ୍ୟତୀତ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା ମିଳିପାରିବ। ରାଜ୍ୟରେ ଏହି ଯୋଜନା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।



