କୋଟିଆରୁ ତଡା ହେଲେ ଆନ୍ଧ୍ର ଅଧିକାରୀ
ପଟ୍ଟାଙ୍ଗି: କୋଟିଆ ପିଛା ଛାଡ଼ୁନି ପଡୋଶୀ ଆନ୍ଧ୍ର । ଥମୁନାହିଁ ଆନ୍ଧ୍ର ଅନୁପ୍ରବେଶ । ବାରମ୍ବାର ବିରୋଧ ସତ୍ତ୍ୱେ ସୀମାନ୍ତ ଗାଁରେ ଅନୁପ୍ରବେଶ କରୁଛି ଅମାନିଆ ଆନ୍ଧ୍ର । କୋଟିଆ ପଞ୍ଚାୟତର ବିବାଦୀୟ ୨୧ ଖଣ୍ଡ ଗ୍ରାମ ପୁଞ୍ଜରେ ଆନ୍ଧ୍ର ବିଭିନ୍ନ କାର୍ଯ୍ୟକ୍ରମ କରୁଛି । କୋଟିଆ ପଞ୍ଚାୟତ ସମସ୍ୟାର ସମାଧାନ ନିଶ୍ଚିତ ହେବ ବୋଲି ଜିଲାବାସୀ ଆଶା ବାନ୍ଧିଥିଲେ ହେଁ ଆନ୍ଧ୍ର ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ଓଡ଼ିଶା ସରକାରଙ୍କ ସମସ୍ତ ରଣନୀତିକୁ ଭେଦ କରି ଆନ୍ଧ୍ର ପ୍ରଶାସନିକ ଅଧିକାରୀ ବାରମ୍ବାର କୋଟିଆରେ ପହଞ୍ଚି ନିଜ ଆଡକୁ ଓଡ଼ିଶାର ଲୋକଙ୍କୁ ଆକର୍ଷିତ କରିବାକୁ ଅହରହ ଉଦ୍ୟମ କରି ଚାଲିଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସଜାଗ ହୋଇ ରହିଥିବାବେଳେ ଗଳାବାଟ ଦେଇ ଲୁଚିଛପି ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ ।
ଗତ କିଛି ଦିନ ତଳେ ନେରେଡିବାଲସା ଗ୍ରାମରେ ସାପ୍ତାହିକ ହାଟରେ ଆନ୍ଧ୍ର ଅଧିକାରୀ ପହଞ୍ଚି ଆଦିବାସୀ ମେଳା କରି ଫେରିଥିବା ବେଳେ ସାଲୁର ମଣ୍ଡଳ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଟିମ୍ ତଳ ଗଞ୍ଜେଇ ପଦର ଗାଁରେ ପହଞ୍ଚିଥିଲେ ଓ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିବା ସମୟରେ ବ୍ଲକ ପ୍ରଶାସନ ଖବର ପାଇଥିଲେ ଓ ତୁରନ୍ତ ଉକ୍ତ ଗ୍ରାମରେ ବ୍ଲକ ଅଧିକାରୀମାନେ ପହଞ୍ଚି ତାଗିଦ କରି ତୁରନ୍ତ ଜାଗା ଛାଡ଼ି ଚାଲିଯିବା ପାଇଁ କହିଥିଲେ ଓ କିଛି ସମୟ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ପରେ ଜାଗାଛାଡ଼ି ଚାଲିଯାଇଥିବା ଜଣାପଡ଼ିଥିଲା।
ଆନ୍ଧ୍ର-ଓଡିଶା ସୀମାନ୍ତ ପ୍ରବେଶ ପଥରେ ଯାଞ୍ଚ୍ ପ୍ରକ୍ରିୟା ନଥିବାରୁ ଆନ୍ଧ୍ର ପାର୍ଶ୍ବରୁ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ବ୍ୟବସାୟୀ ବିନା ଅନୁମତିରେ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରୁଛନ୍ତି। ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ କୋରାପୁଟ ଜିଲାର ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆରେ ରାଜ୍ୟ ସରକାର ତନଖି ଫାଟକ ଶୀଘ୍ର ସ୍ଥାପନ କରିବେ। ଏଥିପାଇଁ ଯୋଜନା ସରିଛି ବୋଲି କହିଛନ୍ତି ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ।


