ଆନ୍ଧ୍ର ବିଇଡି ନାଁରେ ଠକେଇ ଅଭିଯୋଗ

ଆନ୍ଧ୍ର ବିଇଡି ନାଁରେ ଠକେଇ ଅଭିଯୋଗ
Samaya Live News Picture
Published On

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରେ ବିଇଡି କରାଇଦେବା ନାଁରେ ବଡ଼ ଧରଣର ଠକେଇ । ପଶ୍ଚିମ ଓଡ଼ିଶାରୁ ଆସିଛି ଏହି ଠକେଇ ଅଭିଯୋଗ । କଣ୍ଟାବାଞ୍ଜି ଥାନାରେ ଏତଲା ଦେଲେ ଠକେଇର ଶିକାର ହୋଇଥିବା ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଛି କଣ୍ଟାବାଞ୍ଜି ସ୍ଥିତ ରିଏମ୍ସ  ଇଷ୍ଟିଟ୍ୟୁଚ। ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ୨୦ରୁ ଅଧିକ ଆଶାୟୀଙ୍କଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସେମାନେ ସାର୍ଟିଫିକେଟ୍‌ ପାଇନଥିବା ଅଭିଯୋଗ କରିଛନ୍ତି।  

ଅଭିଯୋଗ ଅନୁଯାୟୀ, କଣ୍ଟାବାଞ୍ଜିର ଜଣେ ମଧ୍ୟସ୍ଥି ପତିତପାବନ ହେର୍ଣ୍ଣାଙ୍କ ଜରିଆରେ ଛାତ୍ରଛାତ୍ରୀମାନେ ଆନ୍ଧ୍ରର ଏକ ବିଏଡ୍‌ କଲେଜରେ ନାମ ଲେଖାଇଥିଲେ। ଏଥିପାଇଁ ଜଣପିଛା ୧.୫ ଲକ୍ଷ ଟଙ୍କା କୋର୍ସ ଫି ଏବଂ ସାର୍ଟିଫିକେଟ୍‌ ବାବଦକୁ ଅତିରିକ୍ତ ୧୦ ହଜାର ଟଙ୍କା ନିଆଯାଇଥିଲା। ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଶେଷ କରି ପରୀକ୍ଷାରେ ସଫଳ ହୋଇଥିଲେ ମଧ୍ୟ ବର୍ଷେ ପରେ ବି ସାର୍ଟିଫିକେଟ୍‌ ପାଇନାହାନ୍ତି।

ଯେତେବେଳେ ଛାତ୍ରଛାତ୍ରୀମାନେ ସିଧାସଳଖ ଆନ୍ଧ୍ରର ସମ୍ପୃକ୍ତ କଲେଜ ସହ ଯୋଗାଯୋଗ କରିଥିଲେ। କଲେଜ କର୍ତ୍ତୃପକ୍ଷ ଫି ବକେୟା ଥିବାରୁ ସାର୍ଟିଫିକେଟ୍‌ ଅଟକିଥିବା କହିଥିଲେ। ଘଟଣା ଜଣାପଡିବା ପରେ ପ୍ରତିବାଦ କରି ବଲାଙ୍ଗିର, ନୂଆପଡ଼ା, ବରଗଡ଼ ଅଂଚଳର ୨୦ରୁ ଅଧିକ ଛାତ୍ରଛାତ୍ରୀ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ମିଡିଲମ୍ୟାନ୍ ପତିତପାବନଙ୍କୁ ପଚରାଉଚରା କରି ତଦନ୍ତ କରୁଛି ।

Tags: