ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ ଲିକ ମାମଲା, ୫ ଓଡ଼ିଆଙ୍କ ମୃତ୍ୟୁ

୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ ଲିକ ମାମଲା, ୫ ଓଡ଼ିଆଙ୍କ ମୃତ୍ୟୁ
Samaya Live News Picture
Published On

ତାମିଲନାଡୁ : ଗତକାଲି ତାମିଲନାଡୁ ଚେନ୍ନାଇରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ବିଷାକ୍ତ ଆମୋନିଆ ଗ୍ୟାସ ଲିକ ହୋଇ ୭ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏମାନଙ୍କ ମଧ୍ୟରେ ୫ଜଣ ହେଲେ ଓଡ଼ିଆ ଏବଂ ସମସ୍ତେ ମହିଳା ଶ୍ରମିକ । ମୃତକ ମାନେ ହେଲେ ଜିମାଣୀ ଜୁଆଙ୍ଗ (୧୯), ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ (୨୨), ଶିବାନୀ ଜୁଆଙ୍ଗ (୨୨) ଓ ଫୁଲମଣି ଜୁଆଙ୍ଗ । ସମସ୍ତଙ୍କ ମୃତ ଶରୀର ଆସନ୍ତା କାଲି ଓଡିଶା ଆସି ପହଞ୍ଚିବ । ସମସ୍ତ ମୃତକଙ୍କ ଘର କେନ୍ଦୁଝର ଅଞ୍ଚଳରେ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଗତକାଲି ଘଟଣାସ୍ଥଳକୁ ଓଡିଶାରୁ ୩ ଜଣିଆ ଟିମ ଯାଇଛନ୍ତି ।

ଶ୍ରମ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଛନ୍ତି ଯେ ‘‘ତାମିଲନାଡୁର କାନ୍ନିଗାପେର ଅଞ୍ଚଳରେ ଘଟିଥିବା ଆମୋନିଆ ଗ୍ୟାସ ଦୁର୍ଘଟଣାରେ ଓଡ଼ିଶାର ୫ ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଏବଂ ଅନେକ ଶ୍ରମିକ ଆହତ ହୋଇଥିବା ଘଟଣା ଅତ୍ୟନ୍ତ ମର୍ମନ୍ତୁଦ ଓ ବେଦନାଦାୟକ। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।

ଘଟଣା ସମ୍ପର୍କରେ ଓଡ଼ିଶା ସରକାର ଆରମ୍ଭରୁ ସଜାଗ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ଓ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଉଛି। ମୃତ ଶ୍ରମିକମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇଛି ଏବଂ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ସମ୍ମାନର ସହିତ ସେମାନଙ୍କ ଗାଁକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି’’। ପୀଡ଼ିତ ପରିବାରମାନଙ୍କୁ ସରକାରୀ ସହାୟତା ଏବଂ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ।

ଅନ୍ୟପଟେ, ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ଶିଳ୍ପ ସଂସ୍ଥାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ତାମିଲନାଡୁର ଏକ ସି-ଫୁଡ୍ ପ୍ରକ୍ରିୟାକରଣ କାରଖାନାରେ ହୋଇଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ୪୦ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଅଧିକ ବଢିପାରେ ବୋଲି ଆଶଙ୍କା କରାଯାଉଛି । 

Tags: