ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ
ଭୁବନେଶ୍ୱର : ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ଗୃହ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରଭୃତି ସ୍ୱାଗତ କରିଛନ୍ତି । ବିମାନ ବନ୍ଦରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ବିଜେପି କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି।
ଆଜି ଦିନିଆକିଆ ଗସ୍ତରେ ଆସି ଅମିତ ଶାହ ମୁଣ୍ଡଳୀ ଠାରେ ଥିବା CISF ର ୫୭ତମ ପ୍ରତିଷ୍ଠା ଉତ୍ସବାବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ I ଏହାପରେ ପାରଦୀପ ଗସ୍ତ କରିବେ। ସେଠାରେ ଦିନ ୧ଟା ୪୫ ମିନିଟରେ IFFCO ସଲଫ୍ୟୁରିକ ଏସିଡ ପ୍ଲାଣ୍ଟର ଲୋକାର୍ପଣ କରିବେ । ପାରା ଦୀପରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ଫେରିବେ । ଭୁବନେଶ୍ୱରରେ ଜାତୀୟ ଫୋରେନସିକ୍ ସାଇନ୍ସ ୟୁନିଭର୍ସିଟି (NFSU) ର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିବେ ।
ଏହା ସହିତ ଏହାର ଅସ୍ଥାୟୀ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ । ଏହି ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା ସରକାର ୪୦ ଏକର ଜମି ଯୋଗାଇ ଦେଇଛନ୍ତି । ସେ କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) ର ମଧ୍ୟ ଭୂମି ପୂଜନ କରିବେ । ଭୁବନେଶ୍ୱରରେ ନୂଆ ନ୍ୟାୟ ସଂହିତା ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିବା ସହ ଏକ ମୋବାଇଲ୍ ଫୋରେନସିକ୍ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ସହ ଭର୍ଚୁଆଲ୍ ମାଧ୍ୟମରେ ଅନେକ ନୂଆ ଥାନା ବିଲଡିଂର ଉଦଘାଟନ କରିବେ । ଏହି ଅବସରରେ IIT ଭୁବନେଶ୍ୱର ଏବଂ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହେବ ।
ଆଜିଠାରୁ ଭୁବନେଶ୍ୱର ୟୁନିଟ୍ ୩ ପ୍ରଦର୍ଶନୀ ପଡିଆରେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଆୟୋଜିତ ହେଉଛି । ଆସନ୍ତା ୭ରୁ ୧୦ ତାରିଖ ପଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ପ୍ରଦର୍ଶନୀ ଖୋଲା ରହିବ।



