ସୁନାଖଣି ସହ ରାଜ୍ୟର ୩୪ଟି ଖଣି ନିଲାମ ହେବ
ଭୁବନେଶ୍ୱର : ରାଜ୍ୟ ଅର୍ଥନୀତି ହେବ ଅଧିକ ସୁଦୃଢ଼ । ଓଡ଼ିଶା ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ନିଲାମ କରିବେ ୩୪ଟି ଖଣି । ଏଥିରେ ସୁନା ଖଣି ମଧ୍ୟ ଅନ୍ତର୍ଭୁକ୍ତ । ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି, ୯ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ସମ୍ପତ୍ତି ସମେତ ୩୪ଟି ଖଣିକୁ ନେଇ ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ।
ଲୁହାପଥର, ବକ୍ସାଇଟ୍, ଲୁହାପଥର ଓ ମାଙ୍ଗାନିଜ, ଚୂନପଥର, ମାଙ୍ଗାନିଜ, ତମ୍ବା, ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଖଣି ଓ ସୁନା ଖଣି ଆଦିକୁ ନିଲାମ କରାଯିବ। ଏହି ଖଣିଗୁଡ଼ିକ ମାଲାକାନଗିରି, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ରହିଛି।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି ଓ ୯ଟି ' ହେଉଛି କ୍ରିଟିକାଲ୍ ମିନେରାଲ ଖଣି | ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା, ହୀରା ଓ ମାଣିକ ଖଣି ଠାବ କରାଯାଇଥିବା ନେଇ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଥିଲେ ।
ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଓ କେନ୍ଦୁଝର ଜିଲ୍ଲାର ଜଳଡିହ ସୁନା ଖଣିର ନିଲାମ କରିବାକୁ ସରକାର ଯୋଜନା ରଖିଛନ୍ତି । ଦେବଗଡ଼ର ଅଡସ-ରାମପଲ୍ଲୀରେ ଠାବ କରାଯାଇଥିବା ସୁନା ଖଣିର ମଧ୍ୟ ନିଲାମ କରାଯିବ। ନୟାଗଡ଼, ରାୟଗଡ଼ା ଓ ବଲାଙ୍ଗୀରରେ ଗ୍ରାଫାଇଟ୍ ଖଣି, ବଲାଙ୍ଗୀରରେ ଭାନାଡିୟମ, ଦେବଗଡ଼ରେ ସୁନା ଓ ମାଲାକାନଗିରିରେ ଟିଣ ଖଣି ନିଲାମ କରାଯିବ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସଂସ୍ଥା ଏହି ଖଣିଗୁଡ଼ିକୁ ଠାବ କରିବା ସହ ଅନୁସନ୍ଧାନ କରିଛନ୍ତି।
୨୦୨୩ ପରଠାରୁ ରାଜ୍ୟରେ ଖଣି ନିଲାମ ହୋଇନଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନିଲାମ ପାଇଁ ୩୦ଟି ଖଣିକୁ ପ୍ରସ୍ତୁତ କରିଥିଲେ । ସେଥିରୁ ୮ଟି ଖଣି ନିଲାମ ହୋଇଛି । ୧୨ଟି ଖଣିକୁ ନିଲାମ କରାଯାଉଥିବା ବେଳେ ଖୁବ୍ଶୀଘ୍ର ଆଉ ୧୦ଟି ଖଣି ନିଲାମ କରାଯିବ ଆସନ୍ତାକାଲି କେନ୍ଦ୍ର ସରକାର ୧୯ଟି କ୍ରିଟିକାଲ୍ ମିନେରାଲ ଖଣିର ନିଲାମ ଘୋଷଣା କରିବେ ।



