୭ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ ହେବ - ମନ୍ତ୍ରୀ
ଭୁବନେଶ୍ବର : ୭ ଦିନ ମଧ୍ୟରେ ସମାଧାନ ହେବ ଭତ୍ତା ସମସ୍ୟା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଭତ୍ତା ଗଣ୍ଡାକ ପାଇଁ ହିତାଧିକାରୀ ଭୋଗୁଥିଲେ ନାହିଁ ନଥିବା ସମସ୍ୟା । ଏହି ଘଟଣା ଗଣାମାଧ୍ୟମରେ ପ୍ରସାରଣ ପରେ ପ୍ରଶାସନିକ ତତ୍ପରତା ଦେଖାଦେଇଛି । ୭ ଦିନ ମଧ୍ୟରେ ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଭତ୍ତା ଟଙ୍କା ।
ମନ୍ତ୍ରୀ କହିଛନ୍ତି, ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କର କିଛି ଟେକ୍ନିକାଲ ସମସ୍ୟା ଥିଲା । ରାଜ୍ୟରେ ଅନେକ ହିତାଧିକାରୀ ଗତ କିଛି ଦିନ ହେଲା ଭତ୍ତା ପାଇବାରେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ବିଶେଷ କରି ବ୍ୟାଙ୍କ ଖାତା ସଂଯୋଗ, ଡାଟା ମିସମ୍ୟାଚ ଓ ବୈଷୟିକ ତ୍ରୁଟି କାରଣରୁ ଭତ୍ତା ବଣ୍ଟନ ପ୍ରକ୍ରିୟା ପ୍ରଭାବିତ ହୋଇଛି । ଏହାକୁ ନେଇ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ‘ସ୍ପର୍ଶ’ ପୋର୍ଟାଲ୍ ମାଧ୍ୟମରେ ଆକାଉଣ୍ଟ ଅପଡେଟ୍ ଓ ଯାଞ୍ଚ କାମ ଚାଲିଛି । କିଛି ବୈଷୟିକ ସମସ୍ୟା ଯୋଗୁଁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ଏଣିକି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏସଏନଏସ ସ୍ପର୍ଶ ମାଧ୍ୟମରେ ଆକାଉଣ୍ଟ ଭେଟିଙ୍ଗ ଚାଲିଛି । ଯାହା ମାଧ୍ୟମରେ ଆଇଏଫଏମଏସ ସେବା ମାଧ୍ୟମରେ ରିଏଲ ଟାଇମ୍ ପେମେଣ୍ଟ ହେବ । ସେଥିପାଇଁ ଭତ୍ତା ପ୍ରଦାନରେ ଅସୁବିଧା ରହୁଛି । ଆଉ ସାତ ଦିନ ମଧ୍ୟରେ ଆକାଉଣ୍ଟ ଭେଟିଙ୍ଗ ହୋଇଗଲା ପରେ ଭତ୍ତା ସମସ୍ୟା ଆଉ ରହିବ ନାହିଁ ।



