ଜବାହର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ

ଜବାହର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ
Samaya Live News Picture
Published On

ମାଲକାନଗିରି : ଥମୁନାହିଁ ଶିକ୍ଷାନୁଷ୍ଠାନରେ ରାଗିଂ । କଲେଜ ପରେ ରାଗିଂ ସଂକ୍ରମଣ ସ୍କୁଲ ଗୁଡିକୁ ମାତିଲାଣି । ରାଗିଂ ପାଇଁ ଛୋଟ ଛୋଟ ସ୍କୁଲ ପିଲାଙ୍କ ମଧ୍ୟରେ ବୃଦ୍ଧି ପାଉଛି ହିଂସା ପ୍ରବଣତା । ଫଳରେ କେଉଁଠି ସ୍କୁଲ ପିଲା ହତ୍ୟାର ଶିକାର ହେଉଛନ୍ତି ତ ପୁଣି କେଉଁଠି ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି ପିଲା । ନିକଟରେ ରାଜଧାନୀର ଏକ ପ୍ରସିଦ୍ଧ ଘରୋଇ ଶିକ୍ଷାନୁଷ୍ଠାନରେ ଏହି ଭଳି ଘଟଣାରେ ଜଣେ ସ୍କୁଲ ପିଲାକୁ ହତ୍ୟା କରିଛନ୍ତି ଅନ୍ତେବାସୀ । 

ସେହିଭଳି ଆଉ ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ବାଲିମେଳା ଜବାହର ନବୋଦୟ ସ୍କୁଲ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ । କିଛି ନବମ ଶ୍ରେଣୀ ଛାତ୍ର +୨ ପ୍ରଥମ ବର୍ଷ ଛାତ୍ରଙ୍କ ଦ୍ୱାରା ରାଗିଂର ଶିକାର ହୋଇଛନ୍ତି । ନବମ ଶ୍ରେଣୀ ଛାତ୍ରଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ମାନେ  ରାତିସାରା ନିସ୍ତୁକ ମାଡ଼ ମାରିବା ଅଭିଯୋଗ । ମଙ୍ଗଳବାର ଦିନ ୫ ଜଣ ପିଲାଙ୍କୁ ରାତି ତମାମ ନିର୍ଯାତନା ଦିଆଯାଇଛି । ସିନିଅର ଛାତ୍ରଙ୍କ ନିସ୍ତୁକ ମାଡ଼ରେ କାହାର ଗାଲ ଫୁଲିଛି ତ କାହା ପିଠି ଫାଟି ଯାଇଥିବାବେଳେ ଆଉ କିଏ ଚାଲି ପାରୁନି । ଘଟଣା ସଂପର୍କରେ ଅଭିଭାବକ ଜାଣିବା ପରେ ସ୍କୁଲ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । କିନ୍ତୁ ଏ ସଂପର୍କରେ ଅଧ୍ୟକ୍ଷ କିଛି ଜାଣିନଥିବା କହିଥିଲେ । ପରେ ଘଟଣାଟିକୁ ଚାପିବା ପାଇଁ ନିର୍ଯାତନା ଦେଇଥିବା ଛାତ୍ରଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ ।

ଛାତ୍ର ମାନେ ହଷ୍ଟେଲ ୱାର୍ଡ଼େନ ଓ ଖେଳ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହଷ୍ଟେଲ ୱାର୍ଡେନର ଉପସ୍ଥିତିରେ ଏସବୁ ନିର୍ଯାତନା ହୋଇଛି । ସେମାନଙ୍କ ବିରୋଧର ତଦନ୍ତ ଦାବି କରିଛନ୍ତି ଅଭିଭାବକ ।

Tags: