୬ ମାସରେ ସମାଧାନ ହେବ ରାଜସ୍ଵ ବିଭାଗର ସବୁ ମାମଲା - ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨ ଦିନିଆ ଜିଲ୍ଲାପାଳ ଏସପି ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ କନଭେନସନ ହଲରେ ସମ୍ମିଳନୀ ଆରମ୍ଭ ହୋଇଛି I ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ସମ୍ମିଳନୀରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ କେହି ରହିବେନି ଭୂମିହୀନ । ୬ ମାସ ଭିତରେ ସମାଧାନ ହେବ ରାଜସ୍ଵ ବିଭାଗରେ ପଡ଼ିଥିବା ସବୁ ମାମଲା । ମାମଲାର ସମାଧାନ ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।
"ଲୋକେ ସବୁଠୁ ଅଧିକ ସମସ୍ୟା ନେଇ ରାଜସ୍ଵ ବିଭାଗକୁ ଆସନ୍ତି । ଆମେ ପ୍ରୟାସ କରିବା ଆଗକୁ ଯେମିତି ରାଜସ୍ଵ ବିଭାଗର ଅଭିଯୋଗ ସଂଖ୍ୟା କମି କମି ଯିବ । ଲୋକଙ୍କୁ କିଭଳି ବନ୍ଧୁତ୍ଵପୂର୍ଣ୍ଣ ସରକାରୀ ସେବା ମିଳିବ ସେନେଇ ପ୍ରୟାସ କରିବା ।"
ଆମ ସରକାର ୨୪ ହଜାର ଶିକ୍ଷନୁଷ୍ଠାନକୁ ପଟ୍ଟା ଦେବାରେ ସଫଳ ହୋଇଛନ୍ତି । ୨୫ ହଜାର ଭୂମିହୀନଙ୍କୁ ଜମି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।
ଏଥିସସହ ଜନଗଣନା ପୂର୍ବରୁ ସମସ୍ତ ରାଜସ୍ଵ ଗ୍ରାମ ଆବେଦନକୁ ସୁପାରିସ୍ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ । କହିଛନ୍ତି, "ଲୋକ ଟିଏ ଜମି ପାଇଁ ଆମ ପାଖକୁ ନ ଆସୁ । ଆମେ ସର୍ଭେ କରି ସେମାନଙ୍କୁ ସେବା ଯୋଗାଇ ଦେବା ।"
ସମ୍ମିଳନୀରେ ଦୁର୍ନୀତି ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜସ୍ଵ ମନ୍ତ୍ରୀ । କହିଛନ୍ତି,ଆଖି କାନ ଖୋଲା ରଖ । ନାକ ତଳେ କ'ଣ ହେଉଛି ଖବର ରଖ । ଭିଜିଲାନ୍ସ ଧରିବା ପୂର୍ବରୁ ଆପଣ ମାନେ ଧରନ୍ତୁ । ଏହାସହ ଆଜିର କାମକୁ କାଲି ପର୍ଯ୍ୟନ୍ତ ନରଖିବାକୁ ପରାମର୍ଶ ଦେଇଛନ୍ତି । "ସରକାରୀ କାର୍ଯ୍ୟାଳୟ ଦଲାଲ ମୁକ୍ତ ହେବା ଦରକାର । ମଧ୍ୟସ୍ଥି ବ୍ୟବସ୍ଥା (Middle Man System) ହଟିବା ଦରକାର । ସରକାରଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ ଶାସନ । କିନ୍ତୁ ଯେବେ ଖବରକାଗଜ ପଢ଼ିଲେ ଭିଜିଲାନ୍ସ ରେଡ୍ । ମୃତ ଲୋକ ଜୀବିତ ହେଇ ଯାଉଛନ୍ତି ।"ଅନ୍ୟ ଲୋକଙ୍କୁ ଠିଆ କରି ଜମି ପଞ୍ଜିକରଣ ହୋଇଯାଉଛି । ଏହା ତୁରନ୍ତ ବନ୍ଦ ହେବା ଦରକାର I




