ଏମ୍ସକୁ ପ୍ରଦାନ କରାଯିବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ସେବା
ଖଣ୍ଡଗିରି ଛକରୁ ଏମ୍ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର
ଭୁବନେଶ୍ୱର : ଏଣିକି ଏମ୍ସ କୁ ରୋଗୀ ନେଇ ଯାଉଥିବା ଆମୁଲନସକୁ ମିଳିବ ସ୍ୱତନ୍ତ୍ର ସେବା I ମ୍ବୁଲାନ୍ସ ଆଉ ବାଟରେ ଅଟକିବନି କି ଟ୍ରାଫିକରେ ଫସିବନି। ଗୋଲ୍ଡେନ ଆୱାରରେ ରୋଗୀ ହସ୍ପିଟାଲ ପହଞ୍ଚି ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ । ଏନେଇ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ଆରମ୍ଭ କରିବାକୁ ଯାଉଛନ୍ତି । ଖଣ୍ଡଗିରି ଛକରୁ ଏମ୍ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ସର୍ଭିସ୍ ରୋଡକୁ ଆହୁରି ଚଉଡା କରାଯିବ । ଯେଉଁଠି ଆବଶ୍ୟକ ପଡିବ, ଡ୍ରେନ୍ ଘୁଞ୍ଚିବ ଓ ଜମି ଅଧିଗ୍ରହଣ ବି ହେବ । ଏପରି ଯୋଜନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏନେଇ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଜାତୀୟ ରାଜପଥ ପ୍ରାଧିକରଣ (NHI) ଏନେଇ ପ୍ରାଥମିକ ସର୍ଭେ ବି କରିସାରିଛି । ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହେବ । ଏବେ ଖଣ୍ଡଗିରି ଛକରୁ ଏମ୍ସ ଯାଏ କିଛି ସ୍ଥାନରେ ରାସ୍ତା ତିନିଲେନ୍ ବିଶିଷ୍ଟ ରହିଛି । ଆଉ କିଛି ସ୍ଥାନରେ ରାସ୍ତା ସଙ୍କୁଚିତ ହୋଇ ଦୁଇ-ଲେନ୍ ଅଛି । ଏଇ ପୂରା ରାସ୍ତାକୁ ତିନି-ଲେନ୍ରେ ପରିଣତ କରାଯିବ । ଏଥିରୁ ଗୋଟିଏ ଲେନ୍ ସମ୍ପୂର୍ଣ୍ଣ ଭାବେ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ । ଏହି କରିଡରକୁ ହଳଦିଆ ରଙ୍ଗରେ ଚିହ୍ନଟ କରାଯିବ । ଏଥିରେ ଯେଉଁଭଳି ଅନ୍ୟ କୌଣସି ଗାଡି ଚଳାଚଳ ନ କରେ, ସେଥିପାଇଁ କିଛି ସୁରକ୍ଷାକର୍ମୀ ବି ନିୟୋଜିତ ରହିବା ସହ ସିସିଟିଭି କ୍ୟାମେରା ଲାଗିବ । ଅନ୍ୟଗାଡି ଅମାନିଆ ହୋଇ ଏହି କରିଡରରେ ପଶିଲେ ଜରିମାନା ଆଦାୟ ହେବ । ଏନେଇ ବୁଧୁବାର ଦିନ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଏକାମ୍ର(ଭୁବନେଶ୍ୱର) ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଏମ୍ସର ଚାରିପାଖର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ସେହିପରି ଖଣ୍ଡଗିରି ଫ୍ଲାଏଓଭର ଠାରୁ ଡୁମ୍ଡୁମା ଅଣ୍ଡର ପାସ ପର୍ଯ୍ୟନ୍ତ ସର୍ଭିସ ରୋଡ୍ର ପ୍ରଶସ୍ତିକରଣ, ଆଇଗିଣିଆ ଆଳୁ ଗଦି ଜଙ୍କସନରୁ ଏମ୍ସ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ, ଭେଣ୍ଡିଂ ଜୋନ୍ ନିର୍ମାଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।




