ବକେୟା ଦରମା ପ୍ରଦାନ ଦାବିରେ ଏମ୍ସ ଠିକା ସୁରକ୍ଷାକର୍ମୀଙ୍କ ଆନ୍ଦୋଳନ
ଭୁବନେଶ୍ୱର : ବକେୟା ଦରମା ପ୍ରଦାନ ଦାବିରେ ଏମ୍ସ ଭୁବନେଶ୍ବର ସମ୍ମୁଖରେ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ । ସୁରକ୍ଷାକର୍ମୀମାନଙ୍କର ୨ ମାସର ବକେୟା ଦରମା ଏବଂ EPF ଟଙ୍କା ଜମା ନହେବା ଏବଂ ମନ ଇଛା ଦରମା କାଟିବା କାରଣରୁ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥି ସହିତ କର୍ମଚାରୀଙ୍କୁ ସେମାନଙ୍କର ବ୍ୟକ୍ତିଗତ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଣ କରିବାକୁ ମଧ୍ୟ ଦିଆଯାଉ ନାହିଁ ବୋଲି କର୍ମଚାରୀ ଅଭିଯୋଗ କରିଛନ୍ତି । ବାରମ୍ବାର ଏନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିବା ସତ୍ତ୍ବେ ସଂସ୍ଥା କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ସେଥିପାଇଁ ଆଜି ଏମ୍ସରେ ପ୍ରଶାସନିକ ଭବନ ସାମ୍ନାରେ କାର୍ଯ୍ୟରତ ସମସ୍ତ ୪୪୦ ସିକ୍ୟୁରିଟି ଗାର୍ଡ ଧାରଣାରେ ବସିଛନ୍ତି । କେବଳ ଏମର୍ଜେନ୍ସୀରେ କାର୍ଯ୍ୟ କରୁଛନ୍ତି ସିକୁରିଟି ଗାର୍ଡ । ଆନ୍ଦୋଳନ ସମୟରେ ଠିକା ସଂସ୍ଥା ସହ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପାଟିତୁଣ୍ଡ ହୋଇ ହାତାହାତି ହୋଇଥିଲେ ଉଭୟ ।
ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ବୁଝା ସୁଝା କରିଥିଲା । ସେପଟେ ଠିକା ସଂସ୍ଥା କହିଛି ସନ୍ଧ୍ୟା ସୁଦ୍ଧା ଦରମା ମିଳିବ ଏବଂ ବୁଧବାର ସୁଦ୍ଧା ଅନ୍ୟ ସମସ୍ୟାର ସମାଧାନ ହେବ । ପୂର୍ବରୁ ଦାୟିତ୍ୱରେ ଥିବା ଠିକା ସଂସ୍ଥା ସମୟରେ କୌଣସି ସମସ୍ୟା ହେଉନଥିଲା । ଦୁଇ ମାସ ହେଲା ନୂଆ ସଂସ୍ଥା ଦାୟିତ୍ୱ ନେବା ପରେ ଏଭଳି ଅବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି କର୍ମଚାରୀ ଅଭିଯୋଗ କରିଛନ୍ତି ।



