ଏମ୍ସ ଡାକ୍ତରାଣୀଙ୍କ ଆତ୍ମହତ୍ୟା

ଏମ୍ସ ଡାକ୍ତରାଣୀଙ୍କ ଆତ୍ମହତ୍ୟା
Samaya Live News Picture
Published On

ଭୁବନେଶ୍ୱର : ଭଡା ଘରୁ ଉଦ୍ଧାର ହେଲା ଏମ୍ସ ଡାକ୍ତରାଣୀଙ୍କ ମୃତଦେହ । ଭୁବନେଶ୍ୱର ଡୁମୁଡୁମାସ୍ଥିତ ଭଡ଼ାଘରୁ ମୃତଦେହକୁ ଉଦ୍ଧାର କଲା ଖଣ୍ଡଗିରି ଥାନା ପୁଲିସ । ମୃତକ ହେଲେ କର୍ଣ୍ଣାଟକର ଦିବ୍ୟା ଭି. । ସେ ଏମ୍ସ ରେ ଜୁନିଅର ରେସିଡେଣ୍ଟ ଭାବେ କାମ କରୁଥିଲେ । କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦିବ୍ୟା ମାନସିକ ଅବସାଦରେ ରହୁଥିଲେ । ବିଦ୍ୟା ଅନ୍ୟଜଣେ ମେଡିକାଲ ଛାତ୍ରୀ ମିଶି ଗୋଟାଏ ଘରେ ରହୁଥିଲେ। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ସୂଚନାନୁସାରେ, ମଙ୍ଗଳବାର ସକାଳ ସାଢ଼େ ୯ଟାରେ ରୁମ୍‌ମେଟ୍‌ ଜଣକ ଫ୍ଲାଟ୍‌ରୁ ବାହାରି ହସ୍ପିଟାଲକୁ ଯାଇଥିଲେ । ସେତେବେଳେ ଦିବ୍ୟା ଚୁପ୍‌ଚାପ୍‌ ରୁମ୍‌ରେ ବସିଥିଲେ । ସେ ମଧ୍ୟାହ୍ନ ୧ଟାରେ ରୁମ୍‌କୁ ଫେରିବା ବେଳକୁ ଭିତର ପଟୁ ବନ୍ଦ ଥିବା ଦେଖିଥିଲେ । ଅନେକଥର ଡାକିବା ସତ୍ତ୍ଵେ ଦିବ୍ୟା କବାଟ ନ ଖୋଲିବାରୁ ତାଙ୍କର ସନ୍ଦେହ ଉପୁଜିଥିଲା । ରୁମ୍‌ମେଟ୍ ଜଣକ ସଙ୍ଗେ ସଙ୍ଗେ ଡୁପ୍ଲିକେଟ୍‌ ଚାବିରେ କବାଟ ଖୋଲିଥିଲେ । ଦିବ୍ୟା ଏକ ବେଡ୍‌ସିଟ୍‌ରେ ବେକକୁ ଗୁଡ଼ାଇ ଫ୍ୟାନ୍‌ରେ ଝୁଲିପଡ଼ିଥିଲେ ।  ଏନେଇ ଥାନାରେ ଖବର ଦିଆଯିବା ପରେ ଖଣ୍ଡଗିରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । 

ରୁମ୍‌ରୁ ଏକ ଡାଏରୀରେ ହାତଲେଖା ସୁଇସାଇଡ୍‌ ନୋଟ୍‌କୁ ପୁଲିସ ଜବତ କରିଛି । ସୁଇସାଇଡ୍‌ ନୋଟ୍‌ଟି ଦିବ୍ୟାଙ୍କ ହାତଲେଖା କି ନୁହେଁ, ତାହା ଜାଣିବାକୁ ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରର ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ । ସେହିପରି ଦିବ୍ୟାଙ୍କ ମାନସିକ ଅବସାଦ ରୋଗ ନେଇ ସହପାଠୀ ଓ ସହକର୍ମୀଙ୍କୁ ପଚରାଉଚରା କରୁଛି ପୁଲିସ । ଏହି ରୋଗର ଚିକିତ୍ସା ପାଇଁ ଗତ ଏପ୍ରିଲ ୨୪ ତାରିଖରେ ସେ ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ପୁଲିସ ଜାଣିବାକୁ ପାଇଛି । ସେପଟେ ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ବିଦ୍ୟାଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡ଼ିଛି ।

Tags: