ଅନଲାଇନ୍‌ ଗାଡି ଚାଳକଙ୍କ ଆକ୍ରମଣାତ୍ମକ ଆନ୍ଦୋଳନ

"ହିଂସାକାଣ୍ଡରେ ସଂପୃକ୍ତ ଗାଡ଼ିଗୁଡ଼ିକୁ ସିଜ୍‌ କରାଯିବା ସହ ଏଫ୍‌ଆଇଆର୍‌ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ" -ଭୁବନେଶ୍ବର ଡିସିପି

ଅନଲାଇନ୍‌ ଗାଡି ଚାଳକଙ୍କ ଆକ୍ରମଣାତ୍ମକ ଆନ୍ଦୋଳନ
Samaya Live News Picture
Published On

ଭୁବନେଶ୍ୱର: ରାଜଧାନୀରେ ତୀବ୍ର ହୋଇଛି ଅନଲାଇନ ଗାଡି ଚାଳକଙ୍କ ଆନ୍ଦୋଳନ। ଆଜି ୩ୟ ଦିନରେ ଲୋୟର ପିଏମ୍‌ଜି ଓ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ OLA, Uber ଓ Rapido ଚାଳକମାନେ ଏକାଠି ହୋଇ ଜୋରଦାର ପ୍ରତିବାଦ କରିଛନ୍ତି । ପ୍ରାପ୍ୟ ବୃଦ୍ଧି ସହ ସାମାଜିକ ସୁରକ୍ଷା ଦାବିରେ ଚାଳକମାନେ ଆକ୍ରମଣାତ୍ମକ ଏହି ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନ କାରୀଙ୍କ ପଥର ମାଡ଼ରେ କେତେଜଣ ପୋଲିସ କର୍ମଚାରୀ ଆହତ ହେବା ସହିତ ଏକ ଆମ ବସ ର କାଚ ଭାଙ୍ଗି ଚୁରମାର କରିଦେଇଥିବା ସୂଚନା ମିଳିଛି । ବିମାନବନ୍ଦରରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ରାସ୍ତା ଯାମ ହେବା ସହ ଷଡ଼ଫାହରଣ ଲୋକେ ନାହିଁ ନଥିବା ହିନସ୍ଥା ହେଉଥିବା ଦେଖାଯାଇଥିଲା । ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ପକ୍ଷରୁ ମୃଦୁ  ଲାଠି ଚାଳନା କରିବାକୁ ପଡିଥିଲା । ଫଳରେ ମାଷ୍ଟର କ୍ୟାଣ୍ଟିନ ଠାରେ ପୋଲିସ ଏବଂ ଆନ୍ଦୋଳନ କାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା   ।

ଚାଳକମାନଙ୍କ ଅଭିଯୋଗ ଅନୁସାରେ, ଅନଲାଇନ୍‌ କ୍ୟାବ୍‌ ଓ ବାଇକ୍‌ ସେବାରେ ଦୀର୍ଘ ସମୟ କାମ କରିବା ସତ୍ତ୍ୱେ ଆୟ ଅନୁପାତରେ ଖର୍ଚ୍ଚ ବଢ଼ିଚାଲିଛି। ତେଣୁ ପ୍ରାପ୍ୟ ବୃଦ୍ଧି, ଉଚିତ ପାରିଶ୍ରମିକ ଏବଂ ସାମାଜିକ ସୁରକ୍ଷା ସୁବିଧା ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଆନ୍ଦୋଳନ ଯୋଗୁଁ ରାଜଧାନୀର ବିଭିନ୍ନ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି ।

ସେପଟେ, ଅନଲାଇନ୍ ଗାଡ଼ି ଚାଳକଙ୍କ ଆନ୍ଦୋଳନକୁ ନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା ଚେତାବନୀ ଦେଇ କହିଛନ୍ତି," ଅନଲାଇନ୍ ଚାଳକଙ୍କ ଦାବି ଯଥାର୍ଥ ନୁହେଁ । ଏଥିରେ ସରକାରଙ୍କ କିଛି କରିବାର ନାହିଁ । ସେମାନେ ଘରୋଇ କମ୍ପାନୀ ସହ ସମ୍ପୃକ୍ତ ଅଛନ୍ତି । ଆନ୍ଦୋଳନ କରିବାକୁ ଦିନକ ପାଇଁ ଅନୁମତି ଥିଲା । ଗୋଟିଏ ଦିନ ଆନ୍ଦୋଳନ କରିବା ପାଇଁ ଅନୁମତି ନେଇ ଅଧିକ ୨ଦିନ ଧରି ଆନ୍ଦୋଳନରେ ବସିଛନ୍ତି । ଆଜି ଜାଣିଶୁଣି ଅସୁବିଧା କରିଥିଲେ। ଶେଷରେ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ରାସ୍ତାରେ ହଟାଯାଇଥିଲା । ଏହି ସମୟରେ ବିକ୍ଷୋଭକାରୀମାନେ ପୋଲିସ୍‌ ଉପରକୁ ପଥର ମାଡ଼ କରିବା ସହ 'ଆମ ବସ୍‌' ଭାଙ୍ଗି ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ଆନ୍ଦୋଳକାରୀଙ୍କ ଢେଲା ପଥର ମାଡ଼ରେ କ୍ୟାପିଟାଲ୍ ଥାନା ଆଇଆଇସି ଆହତ ହୋଇଛନ୍ତି । ଅନ୍ୟ ପୋଲିସଙ୍କ ମୁଣ୍ଡରେ ଆଘାତ ଲାଗିଛି । "ହିଂସାକାଣ୍ଡରେ ସଂପୃକ୍ତ ଗାଡ଼ିଗୁଡ଼ିକୁ ସିଜ୍‌ କରାଯିବା ସହ ଏଫ୍‌ଆଇଆର୍‌ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ।" ସାଧାରଣ ଲୋକଙ୍କୁ ମଧ୍ୟ ଅନଲାଇନ୍ ଗାଡ଼ି ଚାଳକ ହଇରାଣ କରୁଛନ୍ତି । ପୋଲିସ ନିଜ ଆଡ଼ୁ ଆନ୍ଦୋଳନକାରୀଙ୍କ ବିରୋଧରେ ଏତଲା ଦେବ । ଲୋକେ ଚାହିଁଲେ ମଧ୍ୟ ଅଭିଯୋଗ କରିପାରିବେ । ଆନ୍ଦୋଳନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ବିକ୍ଷୋଭ ଯୋଗୁଁ ମାଷ୍ଟରକ୍ୟାଣ୍ଟିନ ଦେଇ ଯାତାୟାତ କରୁଥିବା ‘ଆମ ବସ୍’ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି କାରଣରୁ ବସ୍ ଚଳାଚଳକୁ ସ୍ୱାଭାବିକ ରଖିବା ପାଇଁ CRUT ବିକଳ୍ପ ରୁଟ୍‌ର ବ୍ୟବସ୍ଥା କରିଛି। ଯାତ୍ରୀମାନେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳ ଦେଇ ଯାତାୟାତ କରିବା ସମୟରେ ରୁଟ୍‌ରେ ହୋଇପାରୁଥିବା ପରିବର୍ତ୍ତନକୁ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

 

Tags: