ବ୍ରହ୍ମପୁର ଏବଂ ଭୁବନେଶ୍ୱରରେ ଖାଦ୍ୟ ସୁରକ୍ଷା ଯାଞ୍ଚ କଡ଼ାକଡ଼ି

 ବ୍ରହ୍ମପୁର ଏବଂ ଭୁବନେଶ୍ୱରରେ ଖାଦ୍ୟ ସୁରକ୍ଷା ଯାଞ୍ଚ କଡ଼ାକଡ଼ି
Samaya Live News Picture
Published On

ଭୁବନେଶ୍ୱର : ପନିର ନୁହେଁ ପଏଜନ । ଟ୍ୱିନ୍‌‌ସିଟିରେ ଖାଦ୍ୟ ସୁରକ୍ଷା ଯାଞ୍ଚ କଡ଼ାକଡ଼ି । ତେଲ ମସଲା ପରେ ପରେ ବଜାର ସାରା ଭର୍ତି ଭେଜାଲ ପନିର । କଟକରୁ ବିପୁଳ ପରିମାଣରେ ଭେଜାଲ ପନିର ଜବତ ପରେ ପରେ ଆଜି ବ୍ରହ୍ମପୁର ଏବଂ ଭୁବନେଶ୍ୱରର ବିଭିନ୍ନ ହୋଟେଲ ଗୁଡିକ ଉପରେ ଫୁଡ ସେଫଟି ବିଭାଗର ୬ ଜଣିଆ ଟିମ୍ ଚଢ଼ାଉ କରିଛି । ଭୁବନେଶ୍ୱରର ଏକ ମଲରେ ଅପମିଶ୍ରଣ ପନିର ଥିବା ଜଣାପଡ଼ିବା ପରେ ମଲରେ ଥିବା ରେଷ୍ଟୁରାଣ୍ଟରେ ଚାଲିଛି ଯାଞ୍ଚ । ଗତକାଲି କଟକରେ ପ୍ରାୟ ୭୦ କ୍ୱିଣ୍ଟାଲ ଭେଜାଲ ପନିର ଜବତ କରି ନଷ୍ଟ କରିଥିଲା ସ୍ବାସ୍ଥ୍ୟ ବିଭାଗ । ଅପମିଶ୍ରିତ ଛେନା ଓ ପନିର ବିକ୍ରି ନେଇ ଚଢାଉ, ରାସାୟନିକ ଦ୍ରବ୍ୟ ମିଶାଯାଇଥିବା ଜଣାପଡିଲା । ରାକ୍ଷୀ ପୂର୍ବରୁ ଅପମିଶ୍ରିତ ପନିର, ଛେନାକୁ ନେଇ ବଡ଼ ଚଢ଼ାଉ ହୋଇଛି  ।

ପନିରରେ ରାସାୟନିକ ଦ୍ରବ୍ୟ ମିଶାଯାଇଥିବା ପରୀକ୍ଷା ବେଳେ ଧରା ପଡ଼ିଛି । ଅପମିଶ୍ରିତ ପନିରର କିଛି ଅଂଶରେ ଆୟୋଡିନ୍ ମିଶାଯିବା ପରେ ପନିରର ରଙ୍ଗ ବଦଳି ଯାଇଥିଲା । ଆଉ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ପନିର ଗୁଡ଼ିକ ଅପମିଶ୍ରିତ ହୋଇଛି । ଏହି ଅପମିଶ୍ରିତ ପନିର ସବୁ କାଟିଲେ ଫାଟିଯିବ ସହ ହାତରେ ଦାବିଲେ ଚୁନା ହୋଇଯାଉଛି । ଏପରିକି ଏହାକୁ ତେଲରେ ଛାଣିଲେ ଫେଣ ଭରଭର ହୋଇ ବାହାରୁଛି । ଆଉ ଖାଇଲେ, କିଛି ସମୟରେ ପେଟରେ ଗ୍ୟାସ୍, ଆମ୍ବିଳା ହାକୁଟି ଓ ବଦହଜମି ଭଳି ସମସ୍ୟା ଉପୁଜୁଛି । ଅପମିଶ୍ରିତ ପନିର ସବୁ ଛତିଶଗଡ଼, ରାୟପୁର , ନିମାପଡ଼ା, କାକଟପୁର, ଗୋପ, ନିଆଳି, ଅଡ଼ଶପୁରରୁ ଆସୁଥିବା ଜଣେ ବ୍ୟବସାୟୀ କହିଛନ୍ତି । ଏଥିରେ ମଇଦା ଓ କ୍ଷୀର ପାଉଡର, ଡିଟରଜେଣ୍ଟ୍, ରାସାୟନିକ ସହ ପ୍ଲାଷ୍ଟିକ ମିଶାଯାଇ ପନିର କରାଯାଉଥିବା ବେପାରୀ କହିଛନ୍ତି ।

ସେହିପରି, ବ୍ରହ୍ମପୁରରେ ମଧ୍ୟ ପନିର୍ ଦୋକାନରେ ଚଢ଼ାଉକରଯାଇ ବିପୁଳ ପରିମାଣରେ ଛେନା , ଖୁଆ, ପନିରକୁ ନଷ୍ଟ କରିଛି ବିଇଏମସିର ଖାଦ୍ୟ ନିରାପତ୍ତା ବିଭାଗ । ସହରର ଖାସ୍ପା ଓ ଆଗା ସାହିରେ ରହିଥିବା ୫ରୁ ଅଧିକ ପନିର୍ ଓ କ୍ଷୀର ଦୋକାନରେ ଚଢ଼ାଉ କରିଥିଲା । ଖୁଆ ଗୁଡ଼ିକରେ ପରୀକ୍ଷା ପାଇଁ କ୍ୟାମିକାଲ ପକାଯିବା ପରେ ତାହା କଳା ରଙ୍ଗରେ ପରିଣତ ହୋଇଥିଲା । ଆଉ ଏଥିରୁ ସ୍ପଷ୍ଟ ହୋଇଥିଲା ଖୁଆ ବି ଅପମିଶ୍ରିତ । ସେହିପରି ଦୋକାନରେ ଏକ୍ସପାୟରୀ ଡେଟ୍ ହୋଇଥିବା କ୍ଷୀର ପ୍ୟାକେଟକୁ ମଧ୍ୟ ବିକ୍ରି ପାଇଁ ରଖିଥିଲେ ବ୍ୟବସାୟୀ । ତେଣୁ ବିପୁଳ ପରିମାଣର ପନିର୍, ଖୁଆ ଓ କ୍ଷୀରକୁ ବିଇଏମସିର ଖାଦ୍ୟ ନିରାପତ୍ତା ବିଭାଗ ନଷ୍ଟ କରିଥିଲା । ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏତେ ମାତ୍ରାରେ ଅପମିଶ୍ରିତ ପନିର ଜବତକୁ ନେଇ ମୁଣ୍ଡରେ ହାତ ଦେଇଛନ୍ତି ମିଠା ବ୍ୟବସାୟୀ ।

 

Tags: