୪୮ ବର୍ଷର ଅପେକ୍ଷା, ଆଜି ଖୋଲିବ ଭିତର ରତ୍ନ ଭଣ୍ଡାର

ଏସ୍ଓପି ଅନୁଯାୟୀ ଜିଲ୍ଲା ଟ୍ରେଜେରିରୁ ଚାବି ଅଣାଯାଇ ପୁରୀ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲାଯିବ

୪୮ ବର୍ଷର ଅପେକ୍ଷା, ଆଜି ଖୋଲିବ ଭିତର ରତ୍ନ ଭଣ୍ଡାର
Samaya Live News Picture
Published On

ପୁରୀ: ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ । ୪୮ ବର୍ଷ ଅପେକ୍ଷାର ଘଟିବ ଅନ୍ତ । ଶ୍ରଦ୍ଧା ଏବଂ ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟ କରାଯିବ । ଏନେଇ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାକକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏବଂ ଗଣତିମଣତି ଟିମ୍‌ର ସଦସ୍ୟ ଉପସ୍ଥିତ ଥିଲେ । 
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତିରେ ସୋମବାର କେଉଁମାନେ ଭିତରେ ଏବଂ ବାହାରେ ରହିବେ, କ’ଣ ସବୁ ବ୍ୟବସ୍ଥା ହେବ ସେନେଇ ସବିଶେଷ ଆଲୋଚନା ହୋଇଥିଲା। ମାର୍ଗଦର୍ଶିକା ଅନୁଯାୟୀ ପ୍ରତିଦିନ ଜିଲା ଟ୍ରେଜେରିରୁ ଭିତର ରତ୍ନଭଣ୍ଡାରର ଚାବି ଅଣାଯାଇ ପୁରୀ ଜିଲାପାଳ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ।

ଗଣତି କାର୍ଯ୍ୟ ଶେଷ ପରେ ପ୍ରତ୍ୟେକ ଦିନ ଭିତର ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ମୁଦ ଦିଆଯାଇ ଚାବି ଜିଲା ଟ୍ରେଜେରିରେ ରଖାଯିବ । ରତ୍ନ ଅଳଙ୍କାର ବିଶେଷଜ୍ଞ, ଆରବିଆଇ ଅଧିକାରୀ ଉପସ୍ଥିତ ରହି ପ୍ରତ୍ୟେକ ରତ୍ନ ଅଳଙ୍କାରର ଗଣତି ମଣତି କରିବା ସହ ରତ୍ନ ଓଜନ ଏବଂ କେଉଁ ପ୍ରକାରର ମୋତି ମାଣିକ୍ୟ ରହିଛି ତା’ର ଚିହ୍ନଟ କରିବେ । ସେହିପରି ସବୁ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଂ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ । ଏ ନେଇ ଏକ ଡିଜିଟାଲ କାଟାଲଗ୍‌ ପ୍ରସ୍ତୁତ କରାଯିବ । ଫଳରେ ଭବିଷ୍ୟତରେ ଯଦି କେବେ ଗଣତିମଣତି କରାଯାଏ ତାହା ଖୁବ୍ କମ୍ ସମୟ ଏବଂ ସହଜରେ ହୋଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ସୂଚନା ଦେଇଛନ୍ତି ।

Tags: