୧୨ ବର୍ଷ ପରେ ସୋନୁ ହତ୍ୟା କାଣ୍ଡ ଘଟଣାରେ ୩ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୋନୁ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ । ବୁଧୁବାର ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟ । ୨୦୧୪ରେ ଏହି ଲୋମହର୍ଷଣ କାରୀ ହତ୍ୟାକାଣ୍ଡ ଘଟିଥିବାବେଳେ ୧୨ବର୍ଷ ପରେ ରାୟ ପ୍ରକାଶ ପାଇଛି । ୩ ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆ, ଭରତ ସାହୁ ଓ ସାଗର ପୃଷ୍ଟିଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଏହି ରାୟ ଦେଇଛନ୍ତି । ଏଥିସହ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦାୟରେ ପ୍ରତ୍ୟେକଙ୍କୁ ଅତିରିକ୍ତ ୨ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁସାରେ, ୨୦୧୪ ମସିହାରେ ଭୁବନେଶ୍ୱର ସରକନ୍ତରା ଅଞ୍ଚଳରେ ସୁଧ ଟଙ୍କା କାରବାରକୁ ନେଇ କୃତିବାସ ପରିଜା ଓରଫ ସୋନୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟା ପରେ ଅଭିଯୁକ୍ତମାନେ ଶବକୁ ବାଥରୁମରେ ଖଣ୍ଡଖଣ୍ଡ କରି ୬୦ଟି ପଲିଥିନରେ ଭରି ରାଜଧାନୀର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ। ପରେ ଖପୁରୀକୁ ଦୟା ନଦୀରେ ଫୋପାଡ଼ି ଦେଇଥିଲେ।
୨୦୧୪ ମସିହା ନଭେମ୍ବର ୪ ତାରିଖ ଦିନ ନାଥପୁର ନଦୀ ପଠା ନିକଟରେ ଏକ ମଣିଷ ଖପୁରି ପଡିଥିବା ନେଇ ଧଉଳି ଥାନାରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଘଟଣାସ୍ଥଳରୁ ମଣିଷ ମୁହଁର କିଛି ଅଂଶ, ମୁଣ୍ଡର କେଶ ଏବଂ ମସ୍ତିଷ୍କ ଅଂଶ ଭର୍ତ୍ତି ଥିବା ଏକ କଳା ପଲିଥିନ୍ ଜବତ କରି DNA ଟେଷ୍ଟ ପାଇଁ ଏସ୍ସିବି ଏଫ୍ଏମ୍ଟି ବିଭାଗକୁ ପଠାଯାଇଥିଲା । ଟେଷ୍ଟ ପରେ ଏହା ସୋନୁ ଓରଫ କୃତିବାସ ପରିଜାଙ୍କର ବୋଲି ସ୍ପଷ୍ଟ ହୋଇଥିଲା । କାରଣ ନଭେମ୍ବର ୩ତାରିଖ ସୋନୁଙ୍କ ଭାଇ ଗଣେଶ୍ୱର ପରିଜା ସୋନୁ ନିଖୋଜ ଥିବା ନେଇ ଏକ ମିସିଙ୍ଗ ରିପୋର୍ଟ କରିଥିଲେ ।
ତଦନ୍ତରୁ ଜଣାପଡିଥିଲା ଯେ, ସୋନୁଙ୍କୁ ଠାରୁ ଅଭିଯୁକ୍ତ ସଞ୍ଜୟ ୪ଲକ୍ଷ ଟଙ୍କା ଉଦ୍ଧାର ନେଇଥିଲେ । ଏହାପରେ ସେ ୩ଲକ୍ଷ ଟଙ୍କା ଫେରାଇଥିବାବେଳେ ସୁଧ ମିଶାଇ ଆଉ ୨ଲକ୍ଷ ଟଙ୍କା ଫେରାଇବାକୁ ଥିଲା I ତେବେ ସୁଧ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ବଚସା ହେବା ପରେ ସଞ୍ଜୟ ଟଙ୍କା ଫେରାଇବାକୁ ନଭେମ୍ବର ୨ତାରିଖରେ ସୋନୁଙ୍କୁ ଡୁମୁଡୁମାକୁ ଡାକିଥିଲେ । ସେଠାରେ ସଞ୍ଜୟ ସହ ମିଶି ଅନ୍ୟ ୨ଅଭିଯୁକ୍ତ, ସୋନୁଙ୍କୁ ଏକ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ଏହାପରେ ପ୍ରମାଣ ଲୁଚାଇବା ଉଦ୍ଦ୍ୟେଶରେ ଅଭିଯୁକ୍ତମାନେ ତାଙ୍କ ମୃତ ଦେହକୁ ସେଠାରେ ଥିବା ଏକ ବାଥରୁମ ଭିତରେ ଖଣ୍ଡ ଖଣ୍ଡ କରି କାଟି ଭୁବନେଶ୍ୱରରେ ଏଣେତେଣେ ଫିଙ୍ଗି ଦେଇଥିଲେ । ମାମଲାର ତଦନ୍ତ କରି ପରିପାର୍ଶ୍ଵିକ ପରିସ୍ଥିତି ଏବଂ ୨୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଦୀର୍ଘ ୧୨ ବର୍ଷ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ ସଜା ଶୁଣାଇଛନ୍ତି ଭୁବନେଶ୍ୱର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ହିମାଂଶୁ ଶେଖର ମଲ୍ଲିକ I



